ଗାନ୍ଧୀ ଷ୍ଟାଡିୟମରେ ସି.କେ. ନାୟୁଡୁ କ୍ରିକେଟ୍‌ ଟ୍ରଫି ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କ୍ରିକେଟ୍‌ ଏସୋସିଏସନ୍‌ ଓ ଜିଲ୍ଲା କ୍ରିଡା ସଂସଦର ମିଳିତ ଆନୁକୂଲ୍ୟରେ କର୍ଣ୍ଣେଲ ସି.କେ. ନାୟୁଡୁ କ୍ରିକେଟ୍‌ ଟ୍ରଫି ପ୍ରତିଯୋଗୀତା ଓଡିଶା ଏବଂ କର୍ଣ୍ଣାଟକ ମଧ୍ୟରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗଦାନ କରି ଖେଳକୁ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରିଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଆୟୋଜିତ ଉଦ୍‌ଘାଟନ ସମାରୋହରେ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଡ. ପ୍ରହଲ୍ଲାଦ ଶତପଥି, କ୍ରିକେଟ୍‌ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘ୍ନ ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ । ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ମହିଳା କ୍ରିକେଟର ମାଧୁରୀ ମେହେଟ୍ଟା ଓ ରୋଶନାରା ପରୱିନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଆଜି ପ୍ରଥମେ କର୍ଣ୍ଣାଟକ ଦଳ ବ୍ୟାଟିଂ କରି ଖେଳ ଶେଷ ସୁଦ୍ଧା ୯୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୨୮୭ ରନ୍‌ ସଂଗ୍ରହ କରିଥିଲେ । ସଫଳ ବ୍ୟାଟସ୍‌ମେନ ଭାବରେ କର୍ଣ୍ଣାଟକର ଶିଖର ଚର୍ତୁବେଦୀ ୧୦୨ ରନ୍‌ ହର୍ସଲ ଧର୍ମାନୀ ୭୭ ରନ୍‌ ରାଜଭିର ୱାଦଭା ଅପରାଜିତ ୩୪ ରନ୍‌ ଓ ମନଭୁତ ଜୁମାରଲ ଅପରାଜିତ ୪୦ ରନ୍‌ ସଂଗ୍ରହ କରିଛନ୍ତି । ଓଡିଶା ଦଳ ତରଫରୁ ସଫଳ ବୋଲର୍‌ ଭାବରେ ଆଶୁତୋଷ ମାରାଣ୍ଡି ତିନୋଟି, ବାଦଲ ବିଶ୍ୱାଲ ଓ ଆଶୁତୋଷ ମହାପାତ୍ର ଗୋଟିଏ ଲେଖାଁଏ ୱିକେଟ୍‌ ନେଇଥିଲେ । ଆସନ୍ତା କାଲି ସକାଳ ୯ଟାରୁ ପୁଣି ଖେଳ ଆରମ୍ଭ ହେବ ।

Leave A Reply

Your email address will not be published.