ବଡାଖାନା କାର୍ଯ୍ୟକ୍ରମରେ କରୋନା କଟକଣା ଉଭାନ୍‌

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହର ନିକଟସ୍ଥ ମାଥନପଲା ଡ୍ୟାମରେ ଆୟୋଜନ ହୋଇଯାଇଛି ବଡ଼ାଖାନା କାର୍ୟ୍ୟକ୍ରମ । ଟିଟିଲାଗଡ ପୌରପରିଷଦ ତରଫରୁ ଏକ ବଣଭୋଜି ବଡ଼ାଖାନା କାର୍ୟ୍ୟକ୍ରମ ନାମରେ ଆୟୋଜନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌରପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରା ଯୋଗ ଦେଇଥିଲେ । ଏଥିରେ ଟିଟିଲାଗଡ ପୌର ପରିଷଦର ସମସ୍ତ ଅଧିକାରୀ, ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ, ସୁପରଭାଇଜର ତଥା ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ । ସମସ୍ତଙ୍କ ପାଇଁ ଖାଦ୍ୟ ପେୟର ବନ୍ଦୋବସ୍ତ କରାଯାଇଥିଲା । ସଫେଇ କର୍ମଚାରୀ ମାନଙ୍କୁ ସାଲ୍‌ ଦେଇ ସମ୍ମାନିତ କରିଥିଲେ । ଟିଟିଲାଗଡର କିପରି ସ୍ବଚ୍ଛତା ଦିଗରେ ଅଗ୍ରଗତି କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଟିଟିଲାଗଡ ଜନସାଧାରଣଙ୍କୁ ସ୍ୱଚ୍ଛ ସର୍ବେକ୍ଷଣର ଆପ ଡାଉନଲୋଡ କରି ସେଥିରେ ଟିଟିଲାଗଡର ସ୍ବଚ୍ଛତା ଉପରେ ନମ୍ୱର୍ ଦେବାକୁ ଅନୁରୋଧ କରିଥିଲେ ଉପ ଜିଲ୍ଲାପାଳ । ସ୍ବଚ୍ଛତା ସର୍ବେକ୍ଷଣରେ ଗତ ବର୍ଷ ସମଗ୍ର ଓଡିଶାରେ ଦଶ ନମ୍ୱରରେ ଥିଲା । କିନ୍ତୁ ଏହି ବର୍ଷ କିପରି ଏକ ନମ୍ୱରରେ ରହିବ ସେଥି ପାଇଁ ସଚେତନତା ପ୍ରସ୍ତୁତ କରିବାକୁ ନିବେଦନ କରିଥିଲେ ଉପ ଜିଲ୍ଲାପାଳ ।

କିନ୍ତୁ ଭୁଲି ଯାଇଥିଲେ କରୋନା କଟକଣା । କର୍ମଚାରୀ ମାନଙ୍କୁ ୧୦ଟା ସମୟରେ ନିମନ୍ତ୍ରଣ କରି ପ୍ରାୟ ୨ଟା ସମୟରେ ଆସିଥିଲେ ମନ୍ତ୍ରୀ ଓ ଉପ ଜିଲ୍ଲାପାଳ । ସେ ପର୍ୟ୍ୟନ୍ତ କରୋନାକୁ ଭୁଲି ସାରିଥିଲେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା । ମାସ୍କ , ସାନିଟାଇଜର, ସାମାଜିକ ଦୂରତା କୌଣସି କଟକଣା ନ ଥିଲା । ଉପସ୍ଥିତ ଅଧିକାରୀ, ସଫେଇ କର୍ମଚାରୀ, ଉପ ଜିଲ୍ଲାପାଳ, ମନ୍ତ୍ରୀ ସମସ୍ତେ କଟକଣାର ଖୋଲା ଉଲଂଘନ କରିଥିବା ଦେଖିବାକୁ ମିଳିଥିଲା । କରୋନା ମହାମାରୀ ପରି ପରିସ୍ଥିତିରେ ସରକାରୀ କାର୍ୟ୍ୟକ୍ରମ ନାମରେ ଏହିପରି କାର୍ୟ୍ୟକ୍ରମ କିପରି ଆୟୋଜନ କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସରକାରୀ ଅଧିକାରୀ ସହ ରାଜନୈତିକ ଅଧିକାରୀ ମଧ୍ୟ ସରକାରୀ କାର୍ୟ୍ୟକ୍ରମ ଆୟୋଜନ କରି କରୋନାକୁ ସ୍ବାଗତ କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଖୋଦ ଉପ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ଉପସ୍ଥିତିରେ କୋରୋନା ମହାମାରୀକୁ ବେଖାତିର କରାଯାଉଥିବା ଦେଖିବାକୁ ପାଇଥିଲେ ସାଧାରଣ ଜନତା ବୋଲି ଚର୍ଚ୍ଚା । ସେଥିରେ ପୁଣି ଉପ ଜିଲ୍ଲାପାଳ ଓ ମନ୍ତ୍ରୀ ନିଜ ହାତରେ ଖାଇବା ବଢୁଥିବା ଦେଖିବାକୁ ମିଳିଥିଲା । ଆଗକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ନା ସତରେ ସଫେଇ କର୍ମଚାରୀଙ୍କ ପାଇଁ ହୃଦୟରୁ ଭାବ… ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି । କାରଣ ସଫେଇ କର୍ମଚାରୀ ମାନେ ନିଜ ହକ ପାଇଁ ପ୍ରାୟ ଏକ ମାସ ଅନଶନରେ ବସିଥିବା ବେଳେ ମନ୍ତ୍ରୀ ତାଙ୍କୁ ସାହାଯ୍ୟ କରିପାରିବେ ନାହିଁ ବୋଲି ହାତ ଟେକି ଦେଇଥିଲେ ଓ ଉପ ଜିଲ୍ଲାପାଳ ନିଜ ନିଷ୍ପତ୍ତିରେ ଅଟଳ ରହିବା ଯୋଗୁଁ ସଫେଇ କର୍ମଚାରୀମାନେ ଭାଗ୍ୟକୁ ଅନେଇ ଠିକା ସଂସ୍ଥାକୁ ଆପଣେଇ ନେଇଛନ୍ତି ବୋଲି ସାଧାରଣ ଜନତା ଆଲୋଚନା କରୁଛନ୍ତି । କରୋନା ମହାମାରୀ ମଧ୍ୟରେ ଏହିପରି ବିନା ସାମାଜିକ ଦୂରତା, ବିନା ମାସ୍କ ଓ ବିନା ସାନିଟାଇଜରରେ ଆୟୋଜିତ ହୋଇଥିବା ଏହି କାର୍ୟ୍ୟକ୍ରମ ସରକାରୀ ନା ରାଜନୈତିକ ସ୍ବାର୍ଥ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.