ଓଡ଼ିଶା ହାଲଚାଲ ୱେବ୍‌ ଚେନାଲ ତରଫରୁ ବିକାଶ ଓ ଆଇନ ଶୃଙ୍ଖଳାକୁ ନେଇ ତର୍କ ସଭା

ପ୍ରଥମେ ସଂଗଠିତ ପରେ ବିକାଶ
କ୍ରମାଗତ ଭାବେ ହେଉଛି ହତ୍ୟା ମାମଲା ହେଲେ ଧରାପଡ଼ୁନାହାନ୍ତି ଅପରାଧୀ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ସନ୍ଧ୍ୟାରେ ଦେଓଗାଁ ବସଷ୍ଟେସନ ନିକଟରେ ଓଡ଼ିଶା ହାଲଚାଲ ୱେବ୍‌‌ ଚ୍ୟାନେଲ ସହଯୋଗରେ ବ୍ୟୁରୋ ଚିଭି ବଦ୍ରି ନାରାୟଣ ହୋତାଙ୍କ ଆୟୋଜନରେ ଦେଓଗାଁ ଅଞ୍ଚଳର ବିକାଶ ଏବଂ ଆଇନ ଶୃଙ୍ଖଳା ଉପରେ ବଲାଙ୍ଗୀର ଜିଳ୍ଲାରେ ପ୍ରଥମ କରି ଏକ ତର୍କସଭା ଅନୁ‌ଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗୀର ଜିଳ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବ ସଭାପତି ଲକ୍ଷ୍ମଣ ମେହେର, ବଲାଙ୍ଗୀର ଜିଳ୍ଲା ବାର୍‌ ଏସୋସିଏସନର ସଭାପତି ପ୍ରବୀଣ ମିଶ୍ର, ଜନମୋର୍ଚ୍ଚା ସଂଗଠନ ସଭାପତି ବାସୁଦେବ ରଥ, କେଶରିଆ ହିନ୍ଦୁ ବାହିନୀର ରାଜ୍ୟ ମହାମନ୍ତ୍ରୀ ସନ୍ତୋଷ ଭୋଲ, ମୁରିବାହାଲ ବ୍ଳକ ସରପଞ୍ଚ ସଂଘର ସଭାପତି ତଥା ହଳଦି ପଞ୍ଚାୟତର ସରପଞ୍ଚ ଗୋପିନାଥ ପାଣିଗ୍ରାହୀ, ଦେଓଗାଁ ତହସିଲଦାର ନାରାୟଣ ସାହୁ ସମେତ ଶତାଧିକ ବୁଦ୍ଧିଜୀବି ଆଲୋଚନରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେଓଗାଁ କରାଟେ ସ୍କୁଲର ଛାତ୍ର, ଛାତ୍ରୀଙ୍କ ଦ୍ୱାରା ଆତ୍ମରକ୍ଷା କୌଶଳ ପ୍ରଦର୍ଶନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ହୃଦୟ ଶବର ମଞ୍ଚ ସଂଯୋଜନା କରିଥିଲେ । ଦେଓଗାଁ ବ୍ଳକର ବିକାଶ ଏବଂ ଆଇନ ଶୃଙ୍କଳା ଉପରେ ଅତିଥିମାନେ ମତ ପ୍ରଦାନ କରିଥିଲେ ଯେ, ଲୋକମାନେ ସଂଗଠିତ ହେଲେ ବିକାଶ ନିଶ୍ଚିତ । ଦେଓଗାଁ ବ୍ଳକରେ ଅନେକ ବିକାଶ ହୋଇଛି କିନ୍ତୁ ଆହୁରି ବହୁତ ବାକି ଅଛି । ଚାଷୀଙ୍କ ଆର୍ଥିକ ବିକାଶର ବାଧା ସୃଷ୍ଟି ହେବାର ମୁଖ୍ୟ କାରଣ ବନ୍ଦ ହୋଇଥିବା ଚିନିକଳ ଯୋଗୁଁ । ତାକୁ ପୁନଃ କାର୍ଯ୍ୟକାରୀ କରିବା ଜରୁରୀ । ସେହିପରି ସୋନଗଡ଼ ନଦୀରେ ବ୍ୟାରେଜ, ଦେଓଗାଁ ବ୍ଳକ ଓ ବଉଦ ଜିଳ୍ଲା ସୀମାରେ ପ୍ରଭାବିତ ହେଉଥିବା ତେଲ ନଦୀର ମେଘାଜଳ ସେଚନ ପ୍ରକଳ୍ପକୁ ଠିକ ଭାବେ ପରିଚାଲାନ‌ା ଜରୁରୀ । ଶିକ୍ଷାର ବିକାଶ ପାଇଁ ଅର୍ଜୁନପୁର ଓ ବନ୍ଧପଡ଼ାରେ ଉଚ୍ଚ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଉ । ଆଇନ ଶୃଙ୍ଖଳା ପାଇଁ ଅର୍ଜୁନପୁରରେ ପୁଲିସ ପାଣ୍ଠି ଅତି ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ଦେଓଗାଁରେ ଦୀର୍ଘଦିନ ହେଲା ଦାବୀ ହୋଇ ଆସୁଥିବା ଏସଡିଜେଏମ କୋର୍ଟ, ଦେଓଗାଁ ମେଷ ପ୍ରଜନନ କେନ୍ଦ୍ରରେ ଆବଶ୍ୟକୀୟ ଭିତ୍ତିଭୂମୀ ଅଛି । ସେଠାରେ ପୂର୍ବ ପ୍ରସ୍ତାବିତ କୃଷି ବିଶ୍ୱବିଦ୍ୟାଳୟ ପାଇଁ ଚାପ ପକାଇବାକୁ ମତ ପ୍ରକାଶ ପାଇଥିଲା । ଦେଓଗାଁ ବ୍ଳକ ଦେଇ ଜିଳ୍ଲା ବାହାରକୁ ଗୋଚାଲାଣ ହେଉଛି । ଜନ ସଚେତନତା ସୃଷ୍ଟି‌କରି ଏହାକୁ ବନ୍ଦ କରାଯିବାକୁ ସନ୍ତୋଷ ବଳ ପରାମର୍ଶ ଦେଇଥିଲେ । ଦେଓଗାଁ ସିଏଚସି ରାତିରେ ବନ୍ଦ । ଜରୁରୀ କାଳୀନ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ହଇରାଣ ହେଉଛନ୍ତି । କେବିକେ ଅଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ସରକାର ଅଧିକ ଅର୍ଥର ବ୍ୟବସ୍ଥା କରିଥିବା ବେଳେ ବାଧକ ସାଜିଥିବା ଅଧିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା । କ୍ରମାଗତ ଭାବେ ହତ୍ୟା ମାମଳା ହେଉଥିବା ବେଳେ ହତ୍ୟାକରୀ ଧରାପଡ଼ୁନାହିଁ । ବେଆଇନ ମଦ ଓ ସଟ୍ଟା କାରବାର ଯୋଗୁଁ ଦେଓଗାଁ ଅଞ୍ଚଳ ବିଶୃଙ୍ଖଳିତ ହୋଇ ପଡ଼ୁଛି, ତେଣୁ ବେଆଇନ ମଦ କାରବାର ବନ୍ଦ କରାଯିବାକୁ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଅଞ୍ଚଳର ଶିକ୍ଷାପ୍ରେମୀ, ବୁଦ୍ଧିଜୀବି ବିଭିନ୍ନ ପ୍ରଶ୍ନ ପଚାରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀନାଥ ସାହୁ, ସୀତାରାମ ସାହୁ ସହ ଯୁବଗୋଷ୍ଠି ସହଯୋଗ କରିଥିଲେ ।

Leave A Reply

Your email address will not be published.