ବଢୁଛି ଖରାର ତାତି : ରାସ୍ତା ଘାଟରେ ନାହିଁ ପାଣି ଛତ୍ର : ଶୀତଳ ଜଳ ଗୃହରେ ଲାଗିନି ଫ୍ରିଜର୍ : ଥଣ୍ଡା ପାଣି ଖୋଜୁଛି ବାଟୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆଶାତିତ ଭାବେ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା ଅଞ୍ଚଳରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖାଯାଇଛି । ସକାଳ ୧୦ଟାରୁ ବେଶ ଗରମ ଅନୁଭୂତ ହେଉଛି । ତେବେ ଏପ୍ରିଲ ଆରମ୍ଭରୁ ତାପମାତ୍ରାର ଏଭଳି ବୃଦ୍ଧି ଘଟିଥିବାରୁ ଆଗାମୀ ଦିନର ଏହାକୁ ନେଇ ଅଞ୍ଚଳବାସୀ ବେଶ ଆତଙ୍କିତ ହୋଇ ପଡ଼ିଛନ୍ତି । ଖରା ବଢ଼ି ଯାଇଥିବା ବେଳେ ପଥିକମାନଙ୍କ ପାଇଁ ଆଜି ପର୍ୟ୍ୟନ୍ତ ଦେଓଗାଁ ବ୍ଲକ ଅଞ୍ଚଳରେ ଜଳଛତ୍ର ଖୋଲିପାରିନାହିଁ । ଥଣ୍ଡା ପାନୀୟ ଜଳ ଯୋଗାଣ କରିବାକୁ ନିର୍ମାଣ କରାଯାଇଥିବା ଶୀତଳ ଜଳ ଗୃହ ଯୋଜନାରେ ଫ୍ରିଜର ନ ଲଗାଯାଇଥିବା ବାଟରେ ଯାଉଥିବା ପଥିକ ମାନେ ଖରାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବଲାଙ୍ଗିର ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ଉପରଝର ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା ୧ଲକ୍ଷ ୪୦ହଜାର ୫୩ ଟଙ୍କାର ଶୀତଳ ଜଳ ଗୃହ ନିର୍ମାଣ କରାଯାଇଛି । ହେଲେ ଆଜି ଯାଏ ସେହି ଶୀତଳ ଜଳ ଗୃହରେ ପାଣିକୁ ଶୀତଳ କରିବାକୁ ଫ୍ରିଜର ମଧ୍ୟ ଲଗା ଯାଇନାହିଁ । ଫଳରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ହୋଇପାରୁ ନଥିବାରୁ ପଞ୍ଚାୟତକୁ ଆସୁଥିବା ହିତାଧିକାରୀମାନଙ୍କ ସହ ବଲାଙ୍ଗିର-ତୁଷୁରା ରାସ୍ତାର ପଥିକ ମାନେ ଥଣ୍ଡା ପାଣି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କିଛି ଦିନ ତଳେ ଅଞ୍ଚଳବାସୀ ବିଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ହେଲେ କୌଣସି ପଦକ୍ଷେପ ନିଆନଯିବାରୁ ଉପରଝର ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି ।

Leave A Reply

Your email address will not be published.