ସଂକଟମୟ ଚାଷୀଙ୍କ କପାଳ : ଏବେ ସାର ସଂକଟରେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁବେଳେ ଦେଖାଦେଇଛି ସଂକଟମୟ ଚାଷୀଙ୍କ କପାଳ । କେତେବେଳେ ବିହନ ପାଇଁ ଟଣାଓଟରା ତ’ କେତେବେଳେ ଅଭାବି ଧାନ ବିକ୍ରି କବଳରେ ହନ୍ତସନ୍ତ । ଏବେ ସାର ସଂକଟରେ ଚାଷୀ ଘାଂଟି ହେଉଥିବା ଦେଖିବାକୁ ମିଳୁଛି । କରୋନା କଟକଣାରେ ପୁଣି ନାହିଁ ନଥିବା ତଳିତଳାନ୍ତ ହୋଇଛି ଚାଷୀ । ସରକାରୀ ସ୍ତରରେ ଚାଷୀ ପାଇଁ ନାନା ପ୍ରକାର ଯୋଜନା ପ୍ରଣୟନ ହେଉଥିଲେ ସୁଦ୍ଧା ଚାଷୀଙ୍କ କପାଳରୁ ସଂକଟ ଯାଉନି, ଏହା ସ୍ପଷ୍ଟ । ଚାଷୀ ଓ ଚାଷ ପ୍ରତି ସରକାରଙ୍କ ଅଧିକ ଗୁରୁତ୍ୱ ରହିଥିବା କଥା ଗଣମାଧ୍ୟମ ଦେଇ ସଭିଏଁ ଜାଣନ୍ତି । କିନ୍ତୁ ଚାଷୀ ବାର ଦୁଆର ଶୁଣ୍ଢି ପିଣ୍ଢାରେ ଜୀବନ ଅତିବାହିତ କରୁଛି । ବଲାଙ୍ଗିର ଜିଲ୍ଲାରେ ୟୁରିଆ ସାର ସଂକଟ କଥା ପ୍ରତ୍ୟହ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପ୍ୟାକ୍ସରେ ସାର ମିଳୁ ନଥିବା କଥା ବି ହାଟରେ ବାଟରେ ଗଡ଼ି ସାରିଲାଣି । ସରକାରଙ୍କ ଧାର୍ଯ୍ୟ ଦରଠାରୁ ଖୁବ୍‌ ଅଧିକ ଦର ଦେଇ ଚାଷୀ ବାଧ୍ୟ ହୋଇ କିଣୁଛି, ଚାଷ ବଂଚାଇବାକୁ । ସାର କଳାବଜାର ରୋକିବାକୁ ପ୍ରଶାସନିକ ସ୍ତରରେ ଯେତିକି ତତ୍ପରତା ପ୍ରକାଶ ପାଇବା କଥା, ତାହା ହେଉନାହିଁ । ଫଳରେ କଳାବାଜରୀଙ୍କ ରାଜ୍‌ ଚାଷୀଙ୍କ କପାଳକୁ ଚଳୁ କରି ଦେଇ ସାରିଲାଣି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଏ ସଂପର୍କରେ ଜିଲ୍ଲା କୃଷକ ମହାସଂଘ ତରଫରୁ ସ୍ୱର ଉତ୍ତୋଳନ ହୋଇ ସାରିଥିବା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମଧ୍ୟ ତୁରନ୍ତ ସାର କଳାବଜାରୀ ରୋକିବାକୁ ତାଗିଦ୍‌ କରି ସାରିଛନ୍ତି । ତେବେ ପ୍ରଶାସନ ଏ ଦିଗରେ କେତେ ତତ୍ପରତା ଦେଖାଉଛି, ତାହା ଆଗାମୀ ସମୟ କହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.