ଆନ୍ତର୍ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସବ୍ୟସାଚୀଙ୍କ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାକ୍ଷେତ୍ରରେ ଗବେଷଣା ଓ ନବପ୍ରବର୍ତ୍ତନ ପାଇଁ କାମ କରୁଥିବା ଆନ୍ତର୍ଜାତିକ ସଂସ୍ଥା “ରାଇଡୁ” ତରଫରୁ ଆୟୋଜିତ ଶିଶୁ କିଶୋର ବୟସର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ବଲାଙ୍ଗିରର ସବ୍ୟସାଚୀ ନାୟକ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରତିଯୋଗିତାର ବିଷୟବସ୍ତୁ “ସଂସ୍କୃତି ଓ ଐତିହ୍ୟ” ଅନୁଯାୟୀ ସେ ସମ୍ବଲପୁରୀ ବସ୍ତ୍ର, ନୃତ୍ୟ ଓ ମା’ ସମଲେଇଙ୍କ ଚିତ୍ର ଆଙ୍କିଥିଲେ । ଭାରତ ସମେତ ୮ଟି ଦେଶର ୫୩ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହେବା ବିଷୟ ସୂଚନା ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସବ୍ୟସାଚୀ ବଲାଙ୍ଗିରର ଆଇନଜୀବୀ ଓଁକାର ନାୟକ ଓ ଖଡିଆଳର ମଙ୍ଗଳ ସଂପ୍ରସାରଣ ଅଧିକାରିଣୀ କ୍ଷଣପ୍ରଭା ପାଣିଗ୍ରାହୀଙ୍କର ସୁପୁତ୍ର ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଯୋଗ ବଶିଷ୍ଠ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ପ୍ରାଣବନ୍ଧୁ ନାୟକଙ୍କ ନାତି ଅଟନ୍ତି । ସେ ପିଲାଟି ଦିନରୁ କଳାପ୍ରତି ରୁଚି ରଖିଛନ୍ତି । ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ସବ୍ୟସାଚୀ ବିଦ୍ୟାଳୟର ଅନ୍ୟ ସହ ଶୈକ୍ଷିକ କାଯ୍ର୍ୟ୍ରକ୍ରମ ସ୍କାଉଟ, ବକ୍ତୃତା, ପ୍ରବନ୍ଧ ଓ ନୃତ୍ୟ ଆଦିରେ ଯୋଗଦାନ କରି ଜିଲ୍ଲା ଓ ରାଜ୍ୟସ୍ତରରେ ପୁରସ୍କୃତ ଓ ପ୍ରଶଂସିତ ମଧ୍ୟ ହୋଇଛନ୍ତି । ତାଙ୍କର ଏହି କୃତୀତ୍ୱ ପାଇଁ ସବ୍ୟସାଚୀ ତାଙ୍କର ପରିବାରବର୍ଗ, ଗୁରୁଜୀ ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.