oum

ଆଜି ପବିତ୍ର ସାବିତ୍ରୀ ବ୍ରତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ସଧବା ନାରୀମାନେ ଏହି ଦିନ ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳ କାମନା କରି ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ପ୍ରତ୍ୟେକ ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ଦେବୀ ସାବିତ୍ରୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ପୂରାଣ କଥା ବସ୍ତୁ ଅନୁସାରେ ଦେବୀ ସାବିତ୍ରୀ ନିଜ ସ୍ୱାମୀଙ୍କୁ ଯମ ଦେବତାଙ୍କଠାରୁ ଫେରାଇ ଆଣିଥିଲେ । ସେହିଦିନଠାରୁ ସମସ୍ତ ସଧବା ନାରୀମାନେ ନିଜ ନିଜ ସ୍ୱାମୀ ମାନଙ୍କ ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ଏହି ଅବସରରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କରାଯାଏ । ଉଖୁଡ଼ା, ନଡ଼ିଆ, ଆଖୁ, ଖଇ, ଛେନା, ଗୁଡ଼, ନାନାଦି ଫଳ ସଜାଡ଼ି, ଅରୁଆ ଚାଉଳ, ଦୁବ ଓ ନାନା ପ୍ରକାର ଫୁଲରେ ପୂଜା କରାଯାଏ । ଏହାପରେ ବ୍ରତକାରିଣୀମାନେ ବ୍ରତ ବାନ୍ଧନ୍ତି । କେତେକ ଅଞ୍ଚଳରେ ଏହି ଦିନ ନାରୀମାନେ ଘର ଅଗଣାରେ ବୃନ୍ଦାବତୀଙ୍କ ନିକଟରେ ମଧ୍ୟ ପୂଜା କରିଥାନ୍ତି । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୂର, ନାଲି ବ୍ରତ ଓ ଭୋଗ ସଜାଡ଼ି ରଖନ୍ତି । ପାଚିଲା ଆମ୍ବ, ପଣସ, ସପୁରି, ତାଳସଜ, ନଡ଼ିଆ, କଦଳୀ, ଲିଚୁ, ଜାମୁକୋଳି ଆଦି ୬୪ ପ୍ରକାର ପକ୍ୱଫଳ ଓ ଧୂଆମୁଗ ନୈବେଦ୍ୟ ରୂପେ ବଢାଯାଏ । ଅଳତା-ସିନ୍ଦୂର ପିନ୍ଧି ସଜେଇ ହୋଇ ପୂଜା ପାଇଁ ଅପେକ୍ଷା କରିଥାନ୍ତି । ତା’ପରେ ପୂଜକ ପୂଜା କରନ୍ତି । ପୂଜା ହୋଇଥିବା ଶାଢ଼ୀ, ଚୁଡ଼ି ଓ ସିନ୍ଦୂର ପିନ୍ଧି ବୃନ୍ଦାବତୀଙ୍କୁ ବନ୍ଦାପନା କରି ସ୍ୱାମୀଙ୍କ ଆଶୀଷ ନେଇ ଜଳ ଗ୍ରହଣ କରନ୍ତି । ଶିଳପୁଆରେ ମଧ୍ୟ କେହି କେହି ସାବିତ୍ରୀ ବ୍ରତ ପୂଜା କରିଥାନ୍ତି । ଏହି ବ୍ରତରେ ଦେବୀ ସାବିତ୍ରୀ, ଯମଦେବତା ଓ ସତ୍ୟବାନଙ୍କୁ ପୂଜା କରାଯାଏ ।

Leave A Reply

Your email address will not be published.