୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହର

ଭୁବନେଶ୍ୱର : ରାଜ୍ୟରେ ଶୀତ ଲହରି ଜାରି ରହିଛି । ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ସାମାନ୍ୟ ବୃଦ୍ଧି ପାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ବ୍ୟତୀତ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ, କେନ୍ଦୁଝରରେ ୮.୮ଡିଗ୍ରୀ, ସୁନ୍ଦରଗଡ଼ରେ ୯ ଡିଗ୍ରୀ, କିରେଇରେ ୯.୪ ଡିଗ୍ରୀ, ଫୁଲବାଣୀରେ ୯.୫ ଡିଗ୍ରୀ ଓ ସେମିଳିଗୁଡ଼ାରେ ୯.୬ଡିଗ୍ରୀ ରେକର୍ଡ କରାଯାଇଛି । କଟକରେ ସର୍ବନିମ୍ନ ତାପମାତ୍ରା ୧୫.୧ ଓ ଭୁବନେଶ୍ୱରରେ ୧୬ ଡିଗ୍ରୀ ରହିଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଶୁଷ୍କ ଥଣ୍ଡା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି । ଏଥିସହ ପୂର୍ବାଳୀ ଉଷ୍ମ-ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେବାର ସମ୍ଭାବନା ରହିଥିବାରୁ ଅନେକ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ପ୍ରଭାବରେ ସାରା ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିବ । ଅନ୍ୟପକ୍ଷରେ ଆକାଶ ନିର୍ମଳ ରହୁଥିବାରୁ କେତେକ ଜିଲ୍ଲାରେ ୨୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ଅଧିକ ରହିଛି ।

Leave A Reply

Your email address will not be published.