ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଝାରବନ୍ଦ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜ ବୋଡାସମ୍ବର ଝାରବନ୍ଦ କୃଷକ ସଙ୍ଗଠନ ପକ୍ଷରୁ ଝାରବନ୍ଦ ତହସିଲଦାରଙ୍କ ଜରିଆରେ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଉଲ୍ଲେଖ ଅନୁସାରେ ପଦ୍ମପୁର ଅଞ୍ଚଳ ଏକ ଚିର ମରୁଡିଗ୍ରସ୍ତ ଅଞ୍ଚଳ । ମରୁଡ଼ିରେ ଆକ୍ରାନ୍ତ ହୋଇ ଚାଷୀ ସର୍ବଶାନ୍ତ ହୋଇ ସାରିଛି । କିନ୍ତୁ ଚଳିତ ବର୍ଷ ଖରିଫ ଋତୁରେ ଅନୁକୂଳ ବର୍ଷା ହେତୁ ଫସଲ ଭଳ ହୋଇଥିଲା ହେଲେ ଧାନ ଫସଲରେ ଠିକ୍ ସମୟରେ ରୋଗ ପୋକ ଲାଗିବା ଦ୍ବାରା ଧାନକେଣ୍‌ଣ୍ଡା ନଷ୍ଟ ହୋଇ ଯାଉଛି । ଝାରବନ୍ଦ ବ୍ଲକର ସମସ୍ତ ଚାଷୀମାନଙ୍କର ଧାନ ଫସଲ ନଷ୍ଟ ହେବାରେ ଲାଗିଛି, ମୂଲ୍ୟବାନ ଔଷଧ ସିଞ୍ଚନ କଲେ ମଧ୍ୟ କିଛି କାମ ଦେଉନାହିଁ । ଚାଷୀ ବର୍ଷକରେ ଥରେ ଯାହା ଅମଳ କରେ, ସେଥିରେ ସେ ଲାଭବାନ ହୁଏ । କିନ୍ତୁ ଫସଲ ନଷ୍ଟ ହେତୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଲାଣି । ତେଣୁ ବିହିତ ତଦନ୍ତ ପୂର୍ବକ ଚାଷୀମାନଙ୍କୁ କ୍ଷୟକ୍ଷତିର ଆକଳନ କରି ଇନଫୁଟ ସବସିଡି ଜରିଆରେ ସରକାର ଯଦି ସହାୟତା କରନ୍ତି ତାହା ହେଲେ ଚାଷୀମାନେ କିଛିଟା ଉପକୃତ ହୁଅନ୍ତେ । ତେଣୁ କୃଷକ ସଙ୍ଗଠନ ପକ୍ଷରୁ ସନ୍ତୋଷ କୁମାର ବେହେରା, ଦେବେନ୍ଦ୍ର ସାହୁ, ନିରାକାର ପ୍ରଧାନ, ଉମେଶ ବନଛୋର ପ୍ରମୁଖ ଜିଲ୍ଲାପାଳଙ୍କଠାରେ ସହାୟତା ନିମନ୍ତେ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.