- ଇସ୍ପାତ ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଚତର୍ଥ ଦିବସରେ ଇସ୍ପାତ ସାହିତ୍ୟ ସଂସଦର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର ଉପସଭାପତି ଡାକ୍ତର ବସନ୍ତ କୁମାର ଦାସଙ୍କ ସଭାପତିତ୍ୱ ଓ ଅଶୋକ କୁମାର ବଳଙ୍କ ସଂଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ଉଦ୍ଘାଟକ ଭାବେ ଯୋଗ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟକ ଶ୍ରୀ ତ୍ରିପାଠୀ ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ପୁସ୍ତକମେଳା ଆୟୋଜନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନାଟ୍ୟକାର ତଥା ନିର୍ଦ୍ଦେଶକ କୈଳାଶ ପାଣିଗ୍ରାହୀଙ୍କ ରଚିତ ନାଟକ ‘ସହରରେ ଥିଲା ଗୋଟେ ଘର’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଦ୍ୱିତୀୟ କାର୍ଯ୍ୟକ୍ରମ ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛପା ପୁସ୍ତକର ଭବିଷ୍ୟତ ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ସଭାପତି ତ୍ରିଲୋଚନ ମଥାନ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଦାଶ ସଭାପତିତ୍ୱ ଅଭିଭାଷଣ ଓ ସମ୍ପାଦକ ଶ୍ରୀ ବିଶ୍ୱାଳ ଅନୁଷ୍ଠାନ ତରଫରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ ମଞ୍ଚାସୀନ ଥିଲେ । ପ୍ରଥମ ପର୍ଯ୍ୟାୟରେ କବି ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କବି ସୁଶାନ୍ତ କୁମାର ନାୟକ ଓ ପ୍ରତାପ କୁମାର ପଣ୍ଡାଙ୍କ ସଂଯୋଜନାରେ ସହରର ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପର୍ଶୁରାମ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ପ୍ରଦୀପ ପଟ୍ଟନାୟକ, କରୁଣାକର ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।