ପ୍ରଖ୍ୟାତ କବି ସନତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ରାଉରକେଲା, (ସସ୍ମିତା ପ୍ରଧାନ) : କବି ସନତ୍ ରାୟ ଥିଲେ ସମାଜବାଦୀ ଚେତନାର ନାନ୍ଦୀକାର । ସନତ୍ ରାୟ ସ୍ମୃତି କମିଟି ଆନୁକୂଲ୍ୟରେ କଲ୍‌ଚରାଲ୍‌ ଏକାଡେମୀ ପରିସରରେ ପ୍ରଖ୍ୟାତ ପୁରୁଷ ସନତ୍‌ ରାୟଙ୍କ ତିରୋଧାନ ଦିବସ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ ଇଂ ଭାରତ ଭୂଷଣ ମହାନ୍ତି ଓ ଆଲୋଚକ ରୂପେ ଅବସରପ୍ରାପ୍ତ ଅଧ୍ୟାପକ ପାରେଶ୍ୱର ବିଶ୍ୱାଳ ଯୋଗଦାନ କରି, ଓଡ଼ିଶାର ସାରସ୍ଵତ ସାଧିକା କବୟିତ୍ରୀ ଡା ଗୀତାଞ୍ଜଳି ପତ୍ରୀଙ୍କୁ ସନତ୍ ରାୟ ସ୍ମୃତି ସମ୍ମାନରେ ସମ୍ମାନିତ କରିଥିଲେ । ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର କବିଙ୍କ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇ କହିଲେ ସନତ୍ ରାୟ ସମସାମୟିକ ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରତିଭାବାନ କବି । ତାଙ୍କର ପ୍ରଭାବଶାଳୀ ସୃଜନଶୀଳତା ଅନ୍ୟମାନଙ୍କଠାରୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦାବି କରେ । ଆତ୍ମପ୍ରଚାର ପ୍ରତି ସର୍ବଦା ଉଦାସୀନ ରହି ସେ ସତୁରୀ ଦଶକରୁ ନିରବଚ୍ଛିନ୍ନ ଭାବରେ ସାହିତ୍ୟ ସାଧନାରେ ମଗ୍ନ ଥିଲେ ବୋଲି କହିଥିଲେ । ମୁଖ୍ୟଅତିଥି ଶ୍ରୀ ମହାନ୍ତି କହିଲେ କବି ସନତ୍ ରାୟ ପ୍ରଚଳିତ ସମାଜ ବ୍ୟବସ୍ଥା ସମ୍ପର୍କରେ ନିର୍ଭୀକ ସମାଲୋଚନାତ୍ମକ ଦୃଷ୍ଟିଭଙ୍ଗୀ ତାଙ୍କର କବିତା ଗୁଡ଼ିକରେ ଅତ୍ୟନ୍ତ ସରଳ ଓ ସୁବୋଧ୍ୟ ଭାଷାରେ ଉତ୍କୀନ୍ନ ବୋଲି ଅଭିହିତ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମୁଖ୍ୟ ଆଲୋଚକ ଶ୍ରୀ ବିଶ୍ୱାଳ କହିଲେ ମାଟି ଓ ମଣିଷର କଥା କହୁଥିବା ତାଙ୍କ କବିତାର ଚିତ୍ର ଓ ଚରିତ୍ର ଗୁଡ଼ିକ ଯେପରି ଜୀବନ୍ତ ସେପରି ପ୍ରଗତିଶୀଳ ଚେତନାରେ ଉଦ୍ଭାଷିତ। ନଦୀର ସ୍ରୋତକୁ ନିୟନ୍ତ୍ରଣ କରୁଥିବା ବନ୍ଧପରି ତାଙ୍କ କବିତାର ଗତିଧାରାକୁ ଉଭୟ ଇତିହାସ ଓ ସମାଜ ଯେପରି ଆଚ୍ଛନ୍ନ କରି ପାଠକ ପ୍ରାଣରେ ଉଦବେଳନ ସୃଷ୍ଟି କରିଥାଏ ତାହା ସାମ୍ପ୍ରତିକ ଓଡ଼ିଆ କବିତାରେ କ୍ଵଚିତ ଦେଖାଯାଏ । ସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ସମସ୍ତ ଆଲୋଚନାର ନିର୍ଯ୍ୟାସକୁ ଉପସ୍ଥାପନ କରି କହିଲେ ତାଙ୍କର ପ୍ରକାଶିତ କବିତା ସଙ୍କଳନ “ଜଟାୟୁର ଡେଣା”, “ଆର କୂଳ”, “ଅଭିମନ୍ତ୍ର” ଓ “ମାଣିକରୁ ମାରିୟମ୍” ରେ ଜୀବନବାଦୀ ପ୍ରଗତିଶୀଳ କାବ୍ୟ ମାନସ ପରିଚୟ ଅତ୍ୟନ୍ତ ସ୍ପଷ୍ଟ ହୋଇ ଫୁଟିଉଠେ । ସମ୍ମାନିତ ହୋଇଥିବା ଡାଃ ଗୀତାଞ୍ଜଳି ପତ୍ରୀ ସମ୍ବର୍ଦ୍ଧିତ ପ୍ରତ୍ୟୁତ୍ତରରେ କହିଲେ କବି ସନତ୍ ରାୟ ଓଡ଼ିଆ ସାହିତ୍ୟର ନବ ସାରଣୀର ଉନ୍ମୋଚକ ବୋଲି ଅଭିହିତ କରି ଏକ ନବଚେତନାଶୀଳ ଲେଖକ ବୋଲି କହିଥିଲେ । ଏହି ସ୍ମୃତି ସଭାରେ କବି ସନତ୍ ରାୟଙ୍କ କବିତା ପାଠ କରିଥିଲେ କବି ମୀନକେତନ ପଶାୟତ, ଗଙ୍ଗାଧର ପୁହାଣ ଓ ତ୍ରିନାଥ ସିଂହ । ଏହି ସଭାରେ ମାନପତ୍ର ପାଠ କରିଥିଲେ ଗୀତାରାଣୀ ବେହେରା । ଏ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବେତାର କେନ୍ଦ୍ର ଉଦଘୋଷକ କବି ଅଶୋକ ରାଉତ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଭୂପେନ ମହାପାତ୍ର, ଡାଃ ଗୋଷ୍ଠଚନ୍ଦ୍ର ପତ୍ରି, ସ୍ୱର୍ଣ୍ଣଲତା ରାୟ, ଗଗନ ବିହାରୀ ଧଳ, ଡଃ ସୁମନ ଦତ୍ତ, ବାସୁଦେବ ସାହୁ, ସୁନୀଲ ମହାନ୍ତି, ସ୍ୱରୂପ ମହାପାତ୍ର, ନୃସିଂହ ରାଉତ, ଅକ୍ଷୟ ସାମଲ, ବିଚିତ୍ରାନନ୍ଦ ସାହୁ , ପ୍ରତାପ କୁମାର ପଣ୍ଡା, କନକ ଲତା ମିଶ୍ର, କୁଞ୍ଜବିହାରୀ ରାଉତ, ବିଭୁ  ନାୟକ, ସଞ୍ଜୀବ କୁମାର ଭୋଇ, ସଞ୍ଜୟ କୁମାର ମହାପାତ୍ର, ନରେନ୍ଦ୍ର ଗୋପ୍, କେଦାରନାଥ ପ୍ରଧାନ, ସୁକାନ୍ତ ଖୁଣ୍ଟିଆ, ପ୍ରବୋଧ କୁମାର ନାୟକ, ଡଃ କିଶୋରୀ ଦାଶ, ପ୍ରବୀର କୁମାର ଦୁବେ, ଅର୍ଚ୍ଚନା ପାତ୍ର, ସୁପ୍ତି କର, ଡଲିରାଣୀ ବ୍ରହ୍ମା, ଚିତ୍ତରଞ୍ଜନ ବ୍ରହ୍ମା, ସୁମନ୍ତ କୁମାର ଉପାଧ୍ୟାୟ, ପୀତବାସ ପ୍ରଧାନ, ଗୋକୁଳାନନ୍ଦ ଦାସ, ଅକ୍ଷୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଜେନା, ପ୍ରସନ୍ନ କୁମାର ସାମଲ, ବିଶ୍ୱ ରଞ୍ଜନ ସାମଲ, ରଶ୍ମିତ ସାହାଣୀ, ସୁକାନ୍ତି ତ୍ରିପାଠୀ, ଦେବସ୍ମିତା ମହାନ୍ତି, ମନୋରମା ସାହୁ, ପଞ୍ଚାନନ ସୁନା, ଶ୍ରୀଧର ସୁନା ପ୍ରମୁଖ ଯୋଗଦେଇ ଥିବାବେଳେ ଶେଷରେ ସ୍ୱର୍ଗତ ରାୟଙ୍କ ପତ୍ନୀ ସ୍ୱର୍ଣ୍ଣଲତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.