ୱେସ୍କୋରେ ଏସ୍‌ଟି ଏସ୍‌ସିଙ୍କ ନିଯୁକ୍ତି ଓ ପଦୋନ୍ନତି ସକାଶେ ୩୯ ପ୍ରତିଶତ ସଂରକ୍ଷଣ ଲାଗୁ ଦାବୀରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପାୱାର ହାଉସ ଠାରେ ୱେସ୍କୋ ୟୁଟିଲିଟି ଏସ୍‌ସି ଏସ୍‌ଟି ଏମ୍ଲଇଜ୍‌ ୱେଲଫେୟାର ଏସୋସିଏସନର ବଲାଙ୍ଗିର ସର୍କଲ ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏସୋସିଏସନର ସଭାପତି ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୱେସ୍କୋ କର୍ତ୍ତୃପକ୍ଷଙ୍କ ମନମୂଖୀ କାର୍ଯ୍ୟ, ଏସ୍‌ଟି ଏସ୍‌ସିମାନଙ୍କ ପ୍ରତି ବୈମାତୃକ ମନୋଭାବ, ଚରମ ଅବହେଳା, ଉପେକ୍ଷା, ଏସ୍‌ଟି/ଏସ୍‌ସି ବିରୋଧୀ ମନୋଭାବକୁ କଡା ସମାଲୋଚନା କରାଯାଇଥିଲା । ୱେସ୍କୋ ୟୁଟିଲିଟିରେ ଏସ୍‌ଟି ଏବଂ ଏସ୍‌ସି କର୍ମଚାରୀମାନଙ୍କୁ ଶତକଡା ୩୯ ପ୍ରତିଶତ ସ୍ଥାନ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ଦେବା ସହିତ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏସ୍‌ଟି ପ୍ରାର୍ଥୀ ପାଇଁ ଶତକଡା ୨୨.୫୦ ପ୍ରତିଶତ ଏବଂ ଏସ୍‌ସି ପ୍ରାର୍ଥୀମାନଙ୍କ ପାଇଁ ଶତକଡା ୧୬.୨୫ ପ୍ରତିଶତ ସ୍ଥାନ ତଥା ଚାକିରୀ ସଂରକ୍ଷଣ ଭିତ୍ତିରେ ଦେବାକୁ ଓଡିଶା ସରକାରଙ୍କ ଶକ୍ତି ବିଭାଗ, ଏସ୍‌ଟି ଏବଂ ଏସ୍‌ସି ଉନ୍ନୟନ ବିଭାଗ, ଆଇନ ବିଭାଗ ଆଦେଶ ଦେଇଛନ୍ତି । ଏହା ସହିତ ଓଡିଶା ହାଇକୋର୍ଟ ଏବଂ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ମଧ୍ୟ ୱେସ୍କୋରେ ନିଯୁକ୍ତି ଓ ପଦୋନ୍ନତିରେ ଏସ୍‌ଟି ଏସ୍‌ସିମାନଙ୍କୁ ସଂରକ୍ଷଣ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏହା ସତ୍ତେ୍ୱ ୱେସ୍କୋ କର୍ତ୍ତୃପକ୍ଷ ସଂରକ୍ଷଣ ପଦ୍ଧତିକୁ ଲାଗୁ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରି ସରକାର ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ କରୁଛନ୍ତି ବୋଲି କର୍ମଚାରୀ ସଂଘ ଉଦ୍‌ବେଗ ପ୍ରକାଶ କରିଛି । ଠିକା ନିଯୁକ୍ତିରେ ମଧ୍ୟ ଓଡିଶା ସ୍ଥାନ ସଂରକ୍ଷଣ ଆଇନ ୧୯୭୫ ଅନୁସାରେ ନିଯୁକ୍ତି ପ୍ରଦାନ, ଏସ୍‌ଟି ଏସ୍‌ସି କର୍ମଚାରୀଙ୍କ ପାଇଁ ୱେସ୍କୋରେ ପ୍ରୋଟେକ୍ସନ ସେଲ ଗଠନ, ଫାଇନାନ୍ସ କୋଅପରେଟିଭ୍‌ କର୍ପୋରେସନ ଗଠନ, ଏସୋସିଏସନର କର୍ମକର୍ତ୍ତାମାନଙ୍କୁ ସୁରକ୍ଷିତ କର୍ମଚାରୀ ଘୋଷଣା, ସାଂଗଠାନିକ କାର୍ଯ୍ୟ କରିବା ପାଇଁ ୩୦ ଦିନର ସ୍ୱତନ୍ତ୍ର ଛୁଟି ଘୋଷଣା କରିବାକୁ ସଭାରେ ପ୍ରସ୍ତାବ ଗୃହିତ ହୋଇଥିଲା । ଏସ୍‌ଟିଏସ୍‌ସି ୱେସ୍କୋର ସମସ୍ତ କର୍ମଚାରୀମାନଙ୍କ ସାମୁହିକ ଦାବୀ ଗୁଡିକୁ ୭ ଦିନ ମଧ୍ୟରେ ସମାଧାନ ନ କଲେ ୱେସ୍କୋର ସମସ୍ତ କାର୍ଯ୍ୟାଳୟ ଗୁଡିକୁ ଅଚଳ କରିଦିଆଯିବ ବୋଲି କଡା ଚେତାବନୀ ଦେଇଥିଲେ । ସଭାରେ ସଙ୍ଗଠନ ସଂପାଦକ ସୁରେନ୍ଦ୍ର ସେଠ, କାର୍ଯ୍ୟକାରୀ ସଭାପତି ଅରବିନ୍ଦ ଛତ୍ରିଆ, ମୁଖ୍ୟ ବକ୍ତା ଭାବରେ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ଯ୍ୟକାରୀ ସଭାପତି ବ୍ରଜ କିଶୋର ସିଂଭୋଇ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମୁଖ୍ୟ ଉପଦେଷ୍ଟା ସତ୍ୟ ନାରାୟଣ ଭୋଇ, ଶ୍ରମିକ ସଂଘ ସଭାପତି ସମ୍ଭୁ ନାଗ, ଏ.ପି.ଆଇ ନେତା ଦିନେଶ ନାଗ ସମ୍ବିଧାନ ସଚେତନ ଅଭିଯାନର ସଭାପତି ଗୁପ୍ତେଶ୍ୱର ଖୁରା, ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ବଲାଙ୍ଗିର ସର୍କଲ ସେକ୍ରେଟାରୀ ଭାବରେ ବିମ୍ବାଧର ବାରିକକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.