ବିଶ୍ୱାତ୍ମ ଚେତନା ପରିଷଦ ଆନୁକୂଲ୍ୟରେ ‘ପ୍ରଜ୍ଞାନ ବିନ୍ଦୁ’ ବିମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ଚେତନା ପରିଷଦ ପ୍ରତିଷ୍ଠାତା ସ୍ୱାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଗୀତାରତ୍ନ ଯୁଗଲ କିଶୋର ପ୍ରଧାନଙ୍କ ଦ୍ୱାରା ପ୍ରଣୀତ ଆଧ୍ୟାତ୍ମିକ କାବ୍ୟଗ୍ରନ୍ଥ ପ୍ରଜ୍ଞାନବିନ୍ଦୁ ବିମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ତା.୦୫.୦୪.୨୦୨୧ ସନ୍ଧ୍ୟା ଘ.୫ ସମୟରେ ଖୁଜେନପାଲି ସ୍ଥିତ ଆନନ୍ଦ ନିକେତନ ଠାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଆୟୋଜିତ ସାରସ୍ୱତ ସମାବେଶରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ସୁଲେଖିକା-ପ୍ରବାଚିକା ଏଲୋରା ମିଶ୍ର । ଗ୍ରନ୍ଥ ପ୍ରଣେତା ଗୀତାରତ୍ନ ଶ୍ରୀ ପ୍ରଧାନ ପ୍ରଜ୍ଞାନ ବିନ୍ଦୁକୁ ବାସ୍ତବ ରୂପ ଦେବାରେ ତାଙ୍କର ସାଧନା ଉପରେ ସର୍ବ ପ୍ରଥମେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଏଲୋରା ମିଶ୍ର, ବିଭିନ୍ନ ପାରଂପରିକ ଛନ୍ଦାଶ୍ରିତ ଗ୍ରନ୍ଥର ୨୦ଟି ସର୍ଗର ବିସ୍ତୃତ ସମିକ୍ଷା ପ୍ରଦାନ କରିଥିଲେ । ସଭାପତିତ୍ୱ ବକ୍ତବ୍ୟ ପରେ ସ୍ୱାମୀଶ୍ରୀ ସତ୍ୟପ୍ରଜ୍ଞାନନ୍ଦଜୀ ମହାରାଜ ଆର୍ଶିବଚନ ପ୍ରଦାନ କ୍ରମରେ କବିଧର୍ମ, ଭାରତୀୟ ସଂସ୍କୃତିର ସଂରକ୍ଷଣ ଓ ନିରାମୟ ସମାଜ ସଂରଚନା ପାଇଁ ଭଗବତ ଚିନ୍ତନ ଉପରେ ମାର୍ଗ ଦର୍ଶନ ଦେଇଥିଲେ । ଏହି ଅବସରରେ ଗରିମାମୟ ଗୁରୁ ଗୀତାରତ୍ନ ଯୁଗଲ କିଶୋରଙ୍କ ଛାତ୍ର ଓ ଶ୍ରଦ୍ଧାଳୁଙ୍କ ମଧ୍ୟରୁ କ୍ଷିତିପତି ପ୍ରଧାନ, ସୁଧାକର ପ୍ରଧାନ, କାଲିଆ ମେଶ୍ୱା, ପର୍ଶୁରାମ ସାହୁ, ଇଶ୍ୱର ରାଉତ ପ୍ରମୁଖ ସ୍ୱରଚିତ ଗଦ୍ୟ, ପଦ୍ୟ ଛନ୍ଦ ବକ୍ତବ୍ୟ ମାଧ୍ୟମରେ ଗୁରୁଙ୍କ ପ୍ରତି ଭକ୍ତି ନିବେଦନ କରିଥିଲେ । ସ୍ୱାମୀ ସତ୍ୟ ବେଦାନନ୍ଦ ସରସ୍ୱତିଙ୍କ ତତ୍ତ୍ୱାବଧାନରେ ବିଶ୍ୱାତ୍ମ ବିଦ୍ୟାମନ୍ଦିର ସଂଯୋଜକ ସମ୍ବିତ କୁମାର, ଗ୍ରନ୍ଥ ପ୍ରଣେତାଙ୍କ ଜାମାତା ଡା. ଗତିକୃଷ୍ଣ ପ୍ରଧାନ ଓ କନ୍ୟା ଗୀତାଞ୍ଜଳିଙ୍କ ଦ୍ୱାରା ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.