ଡକାୟତି ଘଟଣାରେ ଲାଠୋର ପୋଲିସକୁ ମିଳିଲା ସଫଳତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧୀନ ଫୁଲଝର ଛକ ଠାରେ ହୋଇଥିବା ଏକ ଡକାୟତି ଘଟଣାର ୨ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । କୋର୍ଟ ଚାଲାଣ ହୋଇଥିବା ୨ ଅଭିଯୁକ୍ତ ହେଲେ ଫୁଲଝର ଗ୍ରାମର ଦିବାକର ବିଭାର(୨୩) ଏବଂ ଭିଭେଷଣ ବିଭାର(୨୪) । ଗତ ୬ ସେପ୍ଟେମ୍ବର ୨୦୨୪ରେ ତୁରେକେଲା ଥାନା ଅଧୀନ ମଲିକଦୋରୋ ଗ୍ରାମର ହନୁ ମାଝୀ ତାଙ୍କ ସମ୍ପର୍କୀୟଙ୍କ ଟିଭିଏସ୍‌ ରାଇଡ଼ର ବାଇକ୍‌ ଯୋଗେ ଦିନ ୨.୩୦ରେ ଖପ୍ରାଖୋଲ ଥାନା ଓଡ଼ିଆପାଲି ଗ୍ରାମରୁ ଫେରୁଥିଲେ । ରାସ୍ତାରେ ଲାଠୋର ଥାନା ଫୁଲଝର ଗ୍ରାମ ଛକ ଠାରେ ଦିବାକର ଏବଂ ଭିଭେଷଣ ହନୁଙ୍କୁ ଅଟକାଇ ମାଡ଼ପିଟ କରି ଭୟଭୀତ କରି ତାଙ୍କ ଠାରୁ ବାଇକ ଏବଂ ନଗଦ ୩ ହଜାର ଟଙ୍କା ଛଡାଇ ନେଇ ଯାଇଥିଲେ । ହନୁ ଘଟଣାକୁ ନେଇ ଡେରିରେ ୧୨ ସେପ୍ଟେମ୍ବର ୨୦୨୪ରେ ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଲାଠୋର ଥାନା କେସ୍‌ ନଂ ୧୯୯/୨୩ରେ ୩୦୯(୬) ବିଏନ୍‌ଏସ୍‌ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଶୁକ୍ରବାର ଡକାୟତି କରିଥିବା ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ଠାରୁ ବାଇକ୍‌ ଏବଂ ନଗଦ ୩ ହଜାର ଟଙ୍କା ବରାମଦ କରି ଅଭିଯୁକ୍ତ ମାନଙ୍କୁ ପାଟଣାଗଡ କୋର୍ଟ ଚାଲାଣ କରିଥିବା ଲାଠୋର ଥାନା ଅଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.