pr

ଜଳିଗଲା ବଲାଙ୍ଗିର ସହରର ଫଳ ମାର୍କେଟ୍‌

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ବସ୍‌ ଷ୍ଟେଣ୍ଡ୍‌ ପାଖରେ ନୂଆ ହୋଇ ବସିଥିବା ଫଳ ମାର୍କେଟ୍‌ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ଏହି ଆଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଉପ ଜିଲ୍ଲାପାଳଙ୍କ ବାସଗୃହ ଅନ୍‌ସେଭ୍‌ ଘୋଷଣା ପରେ ଭାଂଗି ଦିଆଯାଇଥିଲା । ସେହି ଖାଲି ସ୍ଥାନରେ ରାସ୍ତାକଡ଼ରେ ଠେଲା ଲଗେଇ ଫଳ ବିକ୍ରି କରୁଥିବା ବ୍ୟବସାୟୀମାନେ ପ୍ରଶାସନର ଅନୁମତି କ୍ରମେ ଫଳ ମାର୍କେଟ୍‌ ବସାଇଥିଲେ । ତେବେ ଗତ ରାତିରେ କୌଣସି କାରଣରୁ ଏହି ଫଳ ମାର୍କେଟ୍‌ରେ ନିଆଁ ଲାଗି ଯାଇଥିବାରୁ ଲକ୍ଷ ଲକ୍ଷ ଟଙ୍କାର ଫଳ ତଥା ଠେଲାଗୁଡ଼ିକ ନଷ୍ଟ ହୋଇଥିବାର ଦେଖିବାକୁ ମିଳିଛି । ଫଳ ବେପାରୀମାନେ ନିଜର କ୍ଷୟକ୍ଷତିକୁ ନେଇ ଏବଂ ଘଟଣାର ଅନୁସଂଧାନ ପାଇଁ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏ ସଂପର୍କରେ ବିଶେଷ ଖବର ନେବା ପାଇଁ ଆଦର୍ଶ ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କହିଛନ୍ତି ଯେ, ଗତ ରାତି ପ୍ରାୟ ଦେଢ଼ଟା ସମୟରେ ଟାଉନ୍‌ ପେଟ୍ରୋଲିଂ ବେଳେ କାର୍ଯ୍ୟରତ ପୋଲିସ କର୍ମଚାରୀ ଏଠାରେ ନିଆଁ ଲାଗିଥିବା ଦେଖି ତୁରନ୍ତ ବିହିତ ପଦକ୍ଷେପ ନେଇଥିଲେ । ସଟ୍‌ସାର୍କିଟ୍‌ କିମ୍ବା ମଶା ଧୂପ ଦ୍ୱାରା ଏହି ନିଆଁ ଲାଗି ଥାଇପାରେ ବୋଲି ଥାନା ଅଧିକାରୀ ସଂଦେହ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କୌଣସି ଦୁର୍ବୃତ୍ତ ନିଆଁ ଲଗେଇ ଥାଇପାରେ ବୋଲି ମଧ୍ୟ ଫଳ ବେପାରୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି ।

nrusinghnath
Leave A Reply

Your email address will not be published.