ଏମ୍‌ବିଆର ଡିଗ୍ରୀ ମହାବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ଜଣେ ବିଶିଷ୍ଟ ଐତିହାସିକ, ସାମ୍ବାଦିକ, ଗବେଷକ, ଲିପିତତ୍ୱବିଦ୍‌ ଡ.ସଦାନନ୍ଦ ଅଗ୍ରୱାଲଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୋତ୍ସବ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଡ.ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟି ଓ ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜର ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିର ଏମ୍‌ବିଆର ଡିଗ୍ରୀ କଲେଜ ମେଣ୍ଡା(ରାଜପାଲି)ରେ ହୋଇଥିବା ବେଳେ ଭୀମସାର ବୁର୍ଲା ହସପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଆସୋସିଏଟ୍‌ ପ୍ରଫେସର ଡ.ବେଣୁଧର ପାଣ୍ଡେ ଯୋଗଦେଇ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ୩୦ଜଣ ମହିଳାଙ୍କ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କ ସମସ୍ୟାଗୁଡିକ ବିଷୟରେ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା । ଶିବିର ପୂର୍ବରୁ ସ୍ୱର୍ଗତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡା, ନାରାୟଣ ଝାଙ୍କର, ଚୈତନ୍ୟ ବାରିକ, କଲେଜର ଅଧ୍ୟକ୍ଷ ସଚିଦାନନ୍ଦ ରଥ, ଡ.ସଦାନନ୍ଦ ଅଗ୍ରାୱାଲ ସ୍ମୃତି କମିଟିର ସିଦ୍ଧାର୍ଥ ଅଗ୍ରୱାଲ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପଦ୍ମନାଭ ମଲ୍ଲିକ, ପୂର୍ବତନ ସରପଞ୍ଚ ହୃଷିକେଶ ପାତ୍ର, ମହାଦେବ ଜେନା, ସବ୍ୟସାଚୀ ଦଣ୍ଡସେନା ଡ.ପାଣ୍ଡେଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ମଧୁମଙ୍ଗଳ ଖମାରୀ, ଉମାକାନ୍ତ ନାଗ, ବିକାଶ ଝାଙ୍କର, ଅଧ୍ୟାପିକା ରୋଜି ମହାରାଣା, ପୂର୍ଣ୍ଣିମା ମହାପାତ୍ର, କର୍ମଚାରୀଙ୍କ ମଧ୍ୟରେ ମହେଶ୍ୱତା ପଣ୍ଡା, ଧିରେନ୍ଦ୍ର ଝାଙ୍କର, ସଂଜୀବ ପଣ୍ଡା, ଅମିତ ସା, ରିଙ୍କୁ ମହାକୁରଙ୍କ ସହ ସ୍ଥାନୀୟ ବ୍ୟକ୍ତି ବିଶେଷ ସ୍ୱାସ୍ଥ୍ୟ ଶିବିରରେ ସହଯୋଗ କରିଥିଲେ । ମଙ୍ଗଳବାର ଦିନ ଏଠାରେ ଏକ ରକ୍ତଦାନ ଶିବିର ସହିତ ସ୍ୱର୍ଗତ ଡ.ଅଗ୍ରୱାଲଙ୍କ ଶ୍ରାଦ୍ଧଦିବସ ଉପଲକ୍ଷେ ଏକ ସମାରୋହ ମଧ୍ୟ ଅନୁଷ୍ଠିତ ହେବ ।

Leave A Reply

Your email address will not be published.