ଜାତୀୟ କୃଷି ଶିକ୍ଷା ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଜାତୀୟ କୃଷି ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ, କୃଷି ଅନୁସନ୍ଧାନ ପରିଷଦ ସହାୟତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଦେଶର ବିକାଶରେ କୃଷିର ଭୂମିକା, ଅତ୍ୟାଧୁନିକ କୃଷି ପଦ୍ଧତି, କୃଷି ଯାନ୍ତ୍ରିକୀକରଣ, କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହ ଅର୍ଥନୈତିକ ଅଭିବୃଦ୍ଧିରେ କୃଷିର ଯୋଗଦାନ ଉପରେ ଆଲୋଚନା କରାଯାଇଛି । ଅଧୁନାତନ ସମୟରେ କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଉପରେ କୃଷି ବିଶେଷଜ୍ଞମାନେ ଆଲୋକପାତ କରିବା ସହ କୃଷି ବିଜ୍ଞାନ ପାଠ୍ୟକ୍ରମକୁ ନେଇ ଆସନ୍ତା ପୀଢିର ବୃତ୍ତି ଓ ପ୍ରବୃତ୍ତି କେମିତି ସୁରକ୍ଷିତ ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ଜୀବନଜିତ୍ ସେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କୃଷି ଶିକ୍ଷା ଦିବସରେ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଂଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ, ସହକାରୀ ଉଦ୍ୟାନବିତ୍ ନରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ପରିବର୍ତ୍ତନୀୟ କୃଷିର ବିଭିନ୍ନ ଦିଗ ସଂପର୍କରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ କୃଷି ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.