ପରଧିଆପାଲି ବିସ୍ଥାପିତଙ୍କ ମେଳିରେ ବିଧାୟକ : ଆଗ ଥଇଥାନ, ପଛେ ଡ୍ୟାମ କାମ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲିରେ ଚାଲିଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ୪ ବିସ୍ଥାପିତ ଗ୍ରାମର ଲୋକଙ୍କୁ ନେଇ ଏକ ବୈଠକ ପରଧିଆପାଲି ଗାଁରେ ଅୟୋଜିତ ହୋଇଥିଲା । ଆଗ ଥଇଥାନ, ପଛେ ଡ୍ୟାମ କାମ ନାରା ଦେଇ ଆୟୋଜିତ ଏହି ବୈଠକରେ ୨୦୧୩ ଜମି ଅଧିଗ୍ରହଣ ନିୟମ କାର୍ଯ୍ୟକାରୀ, ଜମି ବଦଳରେ ଜମି ପରି ବିଭିନ୍ନ ଦାବୀ କରିଥିଲେ । ବୁଡି ଅଂଚଳବାସୀଙ୍କୁ ପ୍ରଶାସନ ଅଣଦେଖା କରୁଥିବା ବେଳେ ମୌଳିକ ଅଧିକାରରୁ ମଧ୍ୟ ବଂଚିତ କରୁଛି । ସରକାରୀ ଆବାସ ଯୋଜନାରୁ ବାଦ କରୁଥିବା ବେଳେ ଶୌଚାଳୟ ନିର୍ମାଣରେ ମଧ୍ୟ ଅଣଦେଖା କରିଛି । ଏହାସହ ନିଜ ଭିଟାମାଟି ଛାଡି ବିସ୍ଥାପନ ହେଉଥିବା ଲୋକଙ୍କ ମୌଳିକ ସମସ୍ୟା ଉପରେ ମଧ୍ୟ ସରକାର ନୀରବଦ୍ରଷ୍ଟା ସାଜୁଛନ୍ତି ବୋଲି ଅଭିଯୋଗ ଉଠିଛି । ତେବେ ଏହି ବୈଠକରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇ ବିସ୍ଥାପିତଙ୍କ ସହ ଅଛନ୍ତି ଏବଂ ରହିବେ ବୋଲି କହିଥିଲେ । ବୁଡି ଅଂଚଳବାସୀଙ୍କ ସମସ୍ୟାକୁ ଆଗାମୀ ବିଧାନସଭାରେ ଉପସ୍ଥାପନ କରି ସରକାରଙ୍କ ଠାରେ ଦାବୀ ଜଣାଇବେ । ଏହାସହ ଅବାସ ଯୋଜନା ଓ ଶୌଚାଳୟ ଯୋଜନା ଯେପରି ଏହି ଅଂଚଳବାସୀଙ୍କ ପାଇଁ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ଓ ଏହା ଉପରେ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ପରଧିଆପାଲି ଗ୍ରାମର କବିନ୍ଦ୍ର ଗଡତ୍ୟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିତୁ ରାଉତ, ଲଲିତ ମୋହନ ଗଡତ୍ୟା, ହେମାଙ୍ଗିନୀ ବାରିକ, ବ୍ୟାସଦେବ ନାଏକ ପ୍ରମୁଖ ବକ୍ତବ୍ୟ ରଖି ଅଂଚଳବାସୀଙ୍କ ସମସ୍ୟା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପରଧିଆପାଲି ଓ କଇଣ୍ଡାପାଲି ଅଧିବାସୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.