ଜାଲ ଦସ୍ତଖତ କରି ପ୍ରାୟ ୨ଲକ୍ଷ ଟଙ୍କା ହଡପ ଘଟଣା ନୂଆ ମୋଡ ନେଲା : ଟଙ୍କା ହଡପ ନହୋଇ ଋଣରେ ଜମା ହୋଇଥିବା ଜଣାପଡିଲା

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଚିଞ୍ଚେଡ କନ୍ଧେନବୁଢି ମହିଳା ସ୍ୱଂୟ ସହାୟିକା ଦଳର ସଦସ୍ୟାଙ୍କ ଅଜାଣତରେ ରୁଷୁଡା ପେକ୍ସ ସଂପାଦକ ଜାଲ୍‌ ଦସ୍ତଖତ କରି ବ୍ୟାଙ୍କରୁ ୨ଲକ୍ଷ ୯ ହଜାର ୯୭ ଟଙ୍କା ହଡପ କରିଥିବା ଘଟଣାର ପ୍ରାଥମିକ ତଦନ୍ତ ତୁଷୁରା ପୋଲିସ ଦ୍ୱାରା ହୋଇଛି । ତୁଷୁରା ସମବାୟ ବ୍ୟାଙ୍କକୁ ଯାଇ ତଦନ୍ତ କରିଥିବା ବେଲେ କୌଣସି ଟଙ୍କା ଗୋଳମାଳ ହୋଇ ନଥିବା ବ୍ୟାଙ୍କ ପରିଚାଳକ କିଶୋର କୁମାର ରାଜପୁତ କହିବା ସହ ଆହୁରି କହିଥିଲେ ଯେ, ଉକ୍ତ ସ୍ୱଂୟ ସହାୟିକା ଦଳର ଜମା ଖାତାରେ ଥିବା ଟଙ୍କା ଛେଳି ଋଣରେ ଜମା ହୋଇଛି । ଏହି ଘଟଣାଟି ବହୁ ପୁରୁଣା । ଏଣୁ ଆହୁରି ଟିକିନିକି କରି ତଦନ୍ତ କରାଯିବ ବୋଲି ଶ୍ରୀ ରାଜପୁତ କହିଥିଲେ । ଏ ସମ୍ପର୍କରେ ପୋଲିସ ତଦନ୍ତ ଅଧିକାରୀ ତୁଳସୀରାମ ଶବର କହନ୍ତି, ବ୍ୟାଙ୍କରୁ ସମସ୍ତ ରିପୋର୍ଟ ମଗା ଯିଇଛି, ତାହା ଆସିବା ପରେ ସବୁ ଜଣାପଡିବ । ଏନେଇ ରୁଷୁଡା ପେକ୍ସ ସଂପାଦକ କାର୍ତ୍ତିକ ମଲ୍ଳିକ କହିଛନ୍ତି ଯେ, ମୁଁ କୌଣସି ହେରଫେର କରି ନାହିଁ । କାହାରି ଟଙ୍କାଟିଏ ମଧ୍ୟ ଖାଇନାହିଁ । ଏପରି ଅଭିଯୋଗ ଆଣି ଅଯଥା ମୋର ବିରୋଧୀମାନେ ମତେ ବଦନାମ କରିବାକୁ ଅପଚେଷ୍ଟା ଚଲାଇଛନ୍ତି ବୋଲି ସଫେଇ ଦେଇଥିଲେ ।

ଅନ୍ୟପକ୍ଷରେ  ସଂଘର ସଭାନେତ୍ରୀ କୁମାରୀ ଜାନୀ ନିଜ ଅଭିଯୋଗରେ ଅଟଳ ରହିଛନ୍ତି । ପ୍ରକାଶ ଯେ, ବ୍ଳକ ପ୍ରଶାସନ ପକ୍ଷରୁ ଏସଜିଏସୱାଇ ଯୋଜନାରେ ଗତ ୨୦୦୮ ମସିହାରେ ୩ଲକ୍ଷ ୪୨ ହଜାର ଟଙ୍କାର ଛେଳି ଚାଷ ପାଇଁ ଋଣ ଉକ୍ତ ସଂଘ କରିଥିଲା ।  ସେଥି ମଧ୍ୟରୁ ଗୁହାଳ ତିଆରି କରିବା ପାଇଁ ୭୮ ହଜାର ଟଙ୍କା ଓ ଛେଳି କିଣିବା ପାଇଁ ଏକ ଲକ୍ଷ ଟଙ୍କା ତୁଷୁରା ସମବାୟ ବ୍ୟାଙ୍କରୁ ଉଠାଇଥିଲେ । ବାକି ୧ ଲକ୍ଷ ୬୨ ହଜାର ଟଙ୍କା ବ୍ୟାଙ୍କ ଜମା ଖାତାରେ ରହିଥିଲା । କିନ୍ତୁ ଗତ ୭-୧୦-୨୦୨୦ରେ ତୁଷୁରା ସମବାୟ ବ୍ୟାଙ୍କକୁ ଯିବା ପରେ ବ୍ୟାଙ୍କ ଖାତାରେ ଟଙ୍କା ନଥିବାରୁ ଘଟଣା ଜଣାପଡିଲା । ଜାଲ ଦସ୍ତଖତ କରି ରୁଷୁଡା ପେକ୍ସ ସଂପାଦକ ଟଙ୍କା ଉଠାଯାଇଥିବା ସଭା ବହିରୁ ଜଣିବା ପରେ ତୁରନ୍ତ ଏନେଇ ଏକ ବୈଠକ କରିବା ସହ ଥାନାରେ ଏନେଇ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.