pakka

ବେନ୍ଦେରରେ ଆଦିବାସୀ ମେଳି ଓ ନୂଆଁଖାଇ ଭେଟ୍‌ଘାଟ୍‌

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଧିନସ୍ଥ ବେନ୍ଦେର ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ଶାଖା ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା ସଦସ୍ୟ ନିରଞ୍ଜନ ବିଶି ଓ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟବକ୍ତା ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ତାଙ୍କୁ ପାରମ୍ପାରିକ ନୃତ୍ୟ ବାଦ୍ୟ ସହିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଆଦିବାସୀମାନେ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ସାଂସଦ ଶ୍ରୀ ବିଶି ଓ ପଦ୍ମଶ୍ରୀଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ । ବେନ୍ଦେର ଗାଁ ପରିସରରେ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଦିବାସୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ସମ୍ବିଧାନ ପ୍ରଦତ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ, ପ୍ରଥାଗତ ଅଧିକାର ଉପରେ ଆଲୋକପାତ କରିଥିଲେ । ଆଦିବାସୀଙ୍କ ପ୍ରାଚୀନ ପ୍ରଥା ପରମ୍ପରା, ରୀତିନୀତି, ଐତିହ୍ୟ, ଭାଷାବୋଲି, ଧାର୍ମିକ ବିଶ୍ୱାସ, ଦେବାଦେବୀ ପୂଜା ପଦ୍ଧତି ଗୁଡିକୁ ସୁରକ୍ଷା ସଂରକ୍ଷଣ କରିବା ସହିତ ବିଲୁପ୍ତ ପ୍ରାୟ କଳା, ସଂସ୍କୃତି, ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତର ପୁନଃ ଉଦ୍ଧାର କରିବାକୁ ଯୁବ ପୀଢ଼ି ଆଗେଇ ଆସିବାକୁ ସାଂସଦ ଶ୍ରୀ ବିଶି ଉଦବୋଧନ ଦେଇଥିଲେ । ଆଦିବାସୀ ସମାଜ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଏବଂ ଧନ୍ଦାମୂଳକ ଶିକ୍ଷା ହିଁ ଆବଶ୍ୟକ । ଉଚ୍ଚଶିକ୍ଷା ଦ୍ୱାରା ଆଦିବାସୀଙ୍କ ଅର୍ଥନୈତିକ ବିକାଶ ହେବ । ଶିକ୍ଷା ବିକାଶର ମୂଳଦୁଆ ହେବ ବୋଲି ଶ୍ରୀ ବିଶି ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ପଦ୍ମଶ୍ରୀ ହଳଧର ନାଗ ଆଦିବାସୀ ସଂସ୍କୃତି, ପରମ୍ପରା, ଲୋକ କଳା ଓ ନୂଆଁଖାଇର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ସଭାରେ ବ୍ଲକ ସଭାପତି ବିପ୍ର ବିଶି, ପାଟଣାଗଡ଼ ବ୍ଲକ ସମ୍ପାଦକ ଗିରିରାଜ ଭୋଇ, ସରପଞ୍ଚ ସସ୍ମିତା ମାଝୀ, ଦୟାସାଗର ମାଝୀ, ଖୀରଧର ମାଝୀ, ଯଦୁମଣି ବରିହା, ଧର୍ମ ସିଂ ଧରୁଆ, ଅଷ୍ଟମ ମାଝୀ ପ୍ରମୁଖ ନେତା ମାନେ ଉଦବୋଧନ ଦେଇଥିଲେ । ଟିକେଶ୍ୱର ଧରୁଆ ସଭା ପରିଚାଳନା କରିଥିବା ବେଳେ ଧର୍ମ ସିଂ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ହଜାରରୁ ଅଧିକ ଆଦିବାସୀ ମହିଳା ପୁରୁଷ ନୂଆଁଖାଇ ଭେଟ୍‌ଘାଟ୍‌ରେ ଅଂଶଗ୍ରହଣ କରିଥିଲେ । ସଭା କାର୍ଯ୍ୟକ୍ରମ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମାଞ୍ଚଳର ଶତାଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

jay balangir
Leave A Reply

Your email address will not be published.

sixteen − one =