ସଇଁତଲାରେ ବ୍ଲକସ୍ତରୀୟ ନୂଆ ଓଡିଶା, ଯୁବ ଓଡିଶା ଅବ୍ୟବସ୍ଥା ଅଭିଯୋଗ

  • ପିଇବା ପାଣି, ଫାଷ୍ଟେଡ଼ ମିଳୁନାହିଁ, ଖେଳାଳୀ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମଠାରେ ଚାଲିଥିବା ବ୍ଲକସ୍ତରୀୟ ନୂଆ ଓଡିଶା, ଯୁବ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଯାହା ଫଳରେ ଖେଳାଳୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ମଙ୍ଗଳବାର ଦିନ ୬ ଗୋଟି ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମେ ଖେଳ ସଇଁତଲା ଟିମ ଓ ଜୁରାବନ୍ଦ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ୨ ଗୋଲରେ ବିଜୟୀ ହୋଇଥିଲା । ଏହାପରେ ଟିକ୍ରାପଡା ଓ ସଇଁତଲା କଲେଜ ମଧ୍ୟରେ ଖେଳ ଆୟୋଜିତ ହୋଇଥିଲା । ଏଥିରେ ଟିକ୍ରାପଡା ୨ ଗୋଲରେ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ୍‌ ଛନଛଡା ଓ କନ୍ଦକେଲଗାଁ ମଧ୍ୟରେ ଖେଳ ହୋଇଥିବା ବେଳେ ଛନଛଡା ୧ ଗୋଲରେ ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚ୍‌ ଟିକ୍ରାପଡା ଓ କରେଲଧୁଆ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ୩-୧ ଗୋଲରେ କରେଲଧୁଆ ଦଳ ବିଜୟୀ ହୋଇଥିଲା । ଏହାପରେ ଛନଛଡା ଓ ଝରବାହାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୪-୨ ଗୋଲରେ ଛନଛଡା ବିଜୟୀ ହୋଇଥିଲା । ଏହାର କ୍ୱାଟର ଫାଇନାଲ ଖେଳ ଛନଛଡା ଦଳ ଓ କରେଲଧୁଆ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କରେଲଧୁଆ ଦଳ ୨-୦ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ଉକ୍ତ ଖେଳକୁ ଶାରୀରିକ ଶିକ୍ଷକ ବିନୋଦ ବିହାରୀ ବେହେରା, ରଞ୍ଜିତ ମିଶ୍ର, ଦିନମଣି ପୋଡ଼, ପ୍ରଭୁଦତ୍ତ ଧରୁଆ, ସୁନୀଲ ମହାପାତ୍ର, ନରୋତ୍ତମ ମଲ୍ଲିକ ଓ ବିକି ଜି. ନାଗ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଫୁଟବଳ ଖେଳ ସମୟରେ ଖେଳାଳୀମାନେ ପାଣି ପାଇଁ ହାହାକାର ହୋଇଯାଇଥିଲେ । ଏପରିକି ପାଣି ସହିତ ଖାଇବା ପାଇଁ ମଧ୍ୟ ଠିକ ଭାବରେ ଦିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି । କୋଣସି ଖେଳାଳୀ ଆହତ ହେଲେ ଫାଷ୍ଟେଡ଼ ମଧ୍ୟ ମିଳୁନାହିଁ । ଯାହା ଫଳରେ ଖେଳାଳୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖେଳ ଖେଳା ଯାଉଥିବା ପଡିଆ ସଫା ସୁତୁରା କରା ନ ଯାଇ ଖେଳଗୁଡିକ ଖେଳା ଯାଉଥିବାରୁ ଖେଳାଳୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ଏଥି ପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.