ଭୁବନେଶ୍ୱର : ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ନିମନ୍ତେ କାଉନ୍ସେଲିଂ କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ସନ୍ଥ ଗୋପାଳନ୍ ଆର୍ ସମାରୋହରେ ଯୋଗଦେଇ ନବନିଯୁକ୍ତ ଅଧିକାରୀମାନଙ୍କ ଅଭିନନ୍ଦନ ଜଣାଇବା ସହ ବିଭାକୁ ସ୍ୱାଗତ ଜଣାଇଥିଲେ । ଅଧିକାରୀମାନଙ୍କୁ ଶ୍ରମ ଆଇନ୍ର ବିସ୍ତୃତ ଅଧ୍ୟୟନ ସହ ‘୫-ଟି’ ଆଧାରରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କଲେ ରାଜ୍ୟର ଶ୍ରମିକମାନଙ୍କର ହିତସାଧନ ହୋଇପାରିବ ଏବଂ ଏହା ରାଜ୍ୟର ବିକାଶରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ । ଏହି ସମାରୋହରେ ଯୋଗଦେଇ ଶ୍ରମ କମିଶନର ଅନୁପମ ସାହା ନବନୀଯୁକ୍ତ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗକୁ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ବିଭାଗ ବୋଲି ଅଭିହିତ କରିଥିଲେ । ଶ୍ରମିକମାନେ ଭିତ୍ତିଭୂମି ନିର୍ମାଣ ଓ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ସେମାନଙ୍କ କଲ୍ୟାଣ ନିମନ୍ତେ ଏହି ବିଭାଗ କାର୍ଯ୍ୟ କରି ରାଜ୍ୟ ପ୍ରଗତିରେ ଅଂଶୀଦାର ହୋଇପାରିଛି । ଏହି ବିଭାଗରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିବାରୁ ନବନିଯୁକ୍ତ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟର ଗୁରୁତ୍ୱକୁ ଅନୁଭବ କରିବା ସହ ନିଷ୍ଠା ଓ ଦାୟିତ୍ୱର ସହ କର୍ତ୍ତବ୍ୟ ସଂପାଦନ କରିବେ ବୋଲି ସେ ପ୍ରକାଶ କରିଥିଲେ । କର୍ମଚାରୀ ରାଜ୍ୟବୀମାର ନିର୍ଦ୍ଦେଶକ ଅଶୋକ କୁମାର ପଣ୍ଡା ଅଧିକାରୀମାନଙ୍କୁ କାଉନ୍ସେଲିଂ ବିଷୟରେ ସମ୍ୟକ ଧାରଣା ଦେଇଥିବାବେଳେ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ନୀତିରଞ୍ଜନ ସେନ୍ ନବନୀଯୁକ୍ତ ଅଧିକାରୀମାନଙ୍କୁ ଶପଥପାଠ କରାଇଥିଲେ । ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କୁ ବିଭାଗର କାର୍ଯ୍ୟ ବାବଦରେ ଅବଗତ କରାଇବା ଉଦ୍ଦେଶ୍ୟରେ ଶ୍ରମିକମାନଙ୍କ କାର୍ଯ୍ୟକଳାପ ବିଷୟରେ ଏକ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗର ଯୁଗ୍ମ ଶାସନ ସଚିବ ନିରଞ୍ଜନ ଜେନା, ଉପଶାସନ ସଚିବ ରାଜେଶ ଅଗ୍ରୱାଲ, ଏଏଫ୍ଏ ଶ୍ରୀମତୀ ସୁଷମା ବିନୋଦିନୀ ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ଅତିରିକ୍ତ ଶାସନ ସଚିବ ନୀତି ରଞ୍ଜନ ସେନ୍ ପରିଚାଳନା କରିଥିଲେ ।
Prev Post