ବଢ଼ିଚାଲିଛି ଯୁବକ, ଯୁବତୀଙ୍କ ନିଖୋଜ ଅଭିଯୋଗର ସଂଖ୍ୟା : ନିଖୋଜ ପରେ ନିଛାଟିଆ ସ୍ଥାନରୁ ମୃତଦେହ ଉଦ୍ଧାର ମାମଲାକୁ ନେଇ ବଢୁଛି ପୁଲିସର ମୁଣ୍ଡବ୍ୟଥା

  • ବବୁଲୁ ହତ୍ୟାକାଣ୍ଡ ପରି ଲୁଚିଯିବ ନି ତ ଗଜାନନ ହତ୍ୟାକାଣ୍ଡ ?
  • ପୁଲିସର କାର୍ୟ୍ୟଦକ୍ଷତାକୁ ନେଇ ଉଠୁଛି ପ୍ରଶ୍ନବାଚୀ : ପୁଲିସ ଉପରୁ ଆସ୍ଥା ହରାଉଛନ୍ତି ଜନସାଧାରଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ବଢୁଛି ଯୁବକ ଯୁବତୀଙ୍କ ନିଖୋଜ ସଂଖ୍ୟା । ଗତ ପାଞ୍ଚଦିନ ଭିତରେ ୩ ଜଣ ଯୁବତୀ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି ଦେଓଗାଁ ଥାନାରେ । ଦେଓଗାଁ ଥାନା ଉଡ଼ାର ପଞ୍ଚାୟତ ସିରାବାହାଲ ଗାଁର ଦୁଇଜଣ ଯୁବତୀଙ୍କ ଗତ ବୁଧୁବାର ଦିନ ଅପରାହ୍ନରୁ କୌଣସି ଖୋଜ ଖବର ମିଳୁନି ବୋଲି ଦେଓଗାଁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଏହି ଯୁବତୀମାନେ ବନ୍ଧଆଡ଼କୁ ଯାଉଛୁ ବୋଲି ଘର ଲୋକଙ୍କୁ କହିଥିଲେ ବୋଲି ଗାଁ ଲୋକମାନେ କହିଛନ୍ତି । ପ୍ରକାଶ ଥାଉ କି ଗତ ଶନିବାର ଦିନ ମଧ୍ୟ ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ସାହାଜବାହାଲ ଗାଁର ଜଣେ ନାବାଳିକା ନିଖୋଜ ହୋଇଥିଲେ । ଏନେଇ ତାଙ୍କ ପରିବାର ପକ୍ଷରୁ ଦେଓଗାଁ ଥାନାରେ ନିଖୋଜ ହୋଇଥିବାର ଅଭିଯୋଗ କରିଥିଲେ । ପୋଖରୀକୁ ଗାଧୋଇ ଯାଉଛି କହି ଆଉ ଘରକୁ ଫେରି ନ ଥିଲା ବୋଲି ଅଭିଯୋଗ କରିଥିଲେ ।

ବର୍ତ୍ତମାନ ପରୀ ହତ୍ୟାକାଣ୍ଡରେ ରାଜନେତାଙ୍କ ସଂପୃକ୍ତି ଆଶଙ୍କା କରି ହତ୍ୟାକାରୀକୁ ତୁରନ୍ତ ଠାବ କରି ଗିରଫ କରିବା ଦାବିରେ ସାରା ରାଜ୍ୟ ଉଠୁଛି ପଡୁଛି । ହେଲେ ଦୀର୍ଘ ୧୦ମାସ ହେଲା ପଶ୍ଚିମାଞ୍ଚଳର ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁର ବବଲୁକୁ ବଳି ପାଇଁ ହତ୍ୟା କରାଯାଇଥିବା ସଂର୍ପକରେ ଆଲୋଚନା ହେଉଥିଲେ ମଧ୍ୟ କେହି ତଦନ୍ତ ପାଇଁ ଚାପ ପକାଉନାହାନ୍ତି । ଅନ୍ୟପକ୍ଷରେ ହାତିସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ହତ୍ୟା କରାଯାଇଥିବା ଅଭିଯୋଗ ହେବାର ପ୍ରାୟ ୧୨ଦିନ ପରେ ମଧ୍ୟ ତଦନ୍ତ ହେଉନି କି ରାଜନେତା ବା ପ୍ରଶାସନ ପକ୍ଷରୁ ଚାପ ପଡୁନି ଯାହାଫଳରେ ଫାଇଲ ନାଲି ଫିତା ତଳେ ଲୁଚିଯିବା ଆଶଂକା ଦେଖାଯାଉଛି ।

ପ୍ରକାଶ ଯେ, ଦେଓଗାଁ ଥାନା ଅନ୍ତର୍ଗତ ହାତୀସରା ଗାଁର ନିଖୋଜ ସୁନା ବ୍ୟବସାୟୀ ଗଜାନନ ମେହେରର ଶବ ମିଳିବାର ୧୪ ଦିନ ଓ ସିଲେଟକାନୀ ନିଖୋଜ ବାଳକ ବବଲୁର ନରକଙ୍କାଳ ଉର୍ଦ୍ଧାରକୁ ପ୍ରାୟ ୧୦ମାସ ହୋଇଛି । ହେଲେ ପୁଲିସ ହାତ ଖାଲି ରହିଛି । କେବଳ ତଦନ୍ତ ନାଁରେ ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଥିବାରୁ ଏହାର ପର୍ଦାଫାସ ହେବ ନା ରହସ୍ୟ ହୋଇ ନାଲି ଫିତା ତଲେ ରହିଯିବ, ତାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ସରଗମ ହେଉଛି । ସଟ୍ଟା, ମଦ ପଛରେ ପୁଲିସ ପଡ଼ି ବାଡ଼ବଣା ହେଉଥିବାରୁ ହତ୍ୟାକାଣ୍ଡରେ ଜଡ଼ିତ ଥିବା ହତ୍ୟାକାରୀକୁ ଚିହ୍ନଟ କରିବାରେ ପୁଲିସ ବିଫଳ ହେଉଛି ବୋଲି ଚର୍ଚ୍ଚା ହେଉଛି । ଦୁଇଟି ହତ୍ୟାକାଣ୍ଡରେ ପ୍ରଥମେ ନିଖୋଜ ଓ ପରେ ୧୫ରୁ ୧୭ ଦିନ ପରେ ମୃତଦେହ ଉର୍ଦ୍ଧାର ହୋଇଥିବାରୁ ଗୁପ୍ତଧନ ପାଇଁ ଯୋଜନାବର୍ଦ୍ଧ ହତ୍ୟାକାଣ୍ଡ ବୋଲି ଗାଁଲୋକେ ଦାବି କରୁଛନ୍ତି । ହେଲେ ଏହି ଦାବିକୁ ଅଣଦେଖା କରୁଛି ସ୍ଥାନୀୟ ପୁଲିସ । ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ନିଖୋଜ ହେବାର ୧୭ଦିନ ପରେ ମୃତ ଶରୀର ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡିର ଚୀପାକାନି ଜଙ୍ଗଲରେ ପଡ଼ିଥିବା ସୁରାକ ପାଇଥିଲା ଦେଓଗାଁ ପୁଲିସ ଏବଂ ରାତିରେ ଯାଇ ଶବକୁ ଜବତ କରିଥିଲା । ଶବ ଉଦ୍ଧାର କରିବାର ୧୪ ଦିନ ବିତି ଯାଇଥିଲେ ମଧ୍ୟ ମୃତ ଗଜାନନର ମେହେରର ମୃତ୍ୟୁର କାରଣ କଣ, ଯଦି ଅଭିଯୋଗରେ ହତ୍ୟାକାଣ୍ଡର ଦଫା ଲାଗିଛି ତାହା ହେଲେ ହତ୍ୟାକାରୀ କିଏ ତାକୁ ପୁଲିସ ଖୋଜିପାରିନି କାହିଁକି ? ଅପରପକ୍ଷରେ ପ୍ରାୟ ୧୦ ମାସ ତଳେ ନିଖୋଜ ହୋଇ ହତ୍ୟାର ଶିକାର ହୋଇଥିବା ସିଲେଟକାନୀ ଗାଁର ୧୨ବର୍ଷର ଶିଶୁ ବବଲୁର ହତ୍ୟାକାରୀକୁ ମଧ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ ପୁଲିସ ଧରି ପାରି ନ ଥିବାରୁ ପୁଲିସର କାର୍ୟ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ସୁନା ବ୍ୟବସାୟୀ ଗଜାନନର ବଡ଼ ଭାଇ ଦେଇଥିବା ଅଭିଯୋଗ ଅନୁସାରେ ସାରସବାହାଲ ଗାଁର ଜଣେ ବ୍ୟକ୍ତି ଡାକି ନେଇଥିବା ଦର୍ଶାଇ ଥିଲେ ମଧ୍ୟ ପୁଲିସ ସେହି ବ୍ୟକ୍ତି ପାଖକୁ ପହଞ୍ଚି ପାରୁ ନ ଥିବାରୁ ଏବଂ ସେହି ବ୍ୟକ୍ତି ପୁଲିସରୁ ଦୂରେଇ ରହୁ ଥିବାରୁ ଘଟଣାକୁ ନେଇ ଅନେକ ସନ୍ଦେହ କରାଯାଉଛି ।

ପ୍ରକାଶ ଯୋଗ୍ୟ ଯେ, ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ମାସ ୬ତାରିଖ ଦିନ ନିଖୋଜ ହୋଇଥିଲେ । ଘରେ ତାଙ୍କ ମାଁ ଙ୍କୁ ସାରସବାହାଲ ଗାଁର ଜନୈକ ବ୍ୟକ୍ତିଙ୍କ ସହ ପାଟଣାଗଡ଼ ଯାଉଛି କହି ଆଉ ଫେରି ନ ଥିଲେ । ଯାହାଫଳରେ ପରିବାର ପକ୍ଷରୁ ଉକ୍ତ ବ୍ୟକ୍ତି ଅପହରଣ କରିଥିବା ନେଇ ଅଭିଯୋଗ କରିଥିଲେ । ନିଖୋଜ ର ୧୭ଦିନ ପରେ ଦେଓଗାଁ ଥାନା ଚୀପାକାନି ମୁଦଘାଟ ଜଙ୍ଗଲରୁ ମୃତ ଦେହ ଉଦ୍ଧାର କରିଥିଲା ପୁଲିସ । ତାକୁ ଗଜାନନ୍ ର ବୋଲି ଚିହ୍ନଟ କରିଥିଲେ ପରିବାର ଲୋକ। ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ଦେଓଗାଁ ଥାନାରେ ମାମଲା ରୁଜୁ ହୋଇଛି । ସେହିପରି ନିଖୋଜ ହେବା ଅଭିଯୋଗର ମାତ୍ର ୩ ଦିନ ପରେ ନିଖୋଜ ସୂନା ବ୍ୟବସାୟୀର ପରିବାର ପକ୍ଷରୁ ଅପହରଣ ହେବା ଓ ଅପହରଣକାରୀର ନାମ ପରିବାର ପକ୍ଷରୁ ଘୋଷଣା କରିଥିଲେ ମଧ୍ୟ ପୁଲିସ ଖୋଜିବାରେ ବିଫଳ ହୋଇଥିଲା ।

ଅନ୍ୟପକ୍ଷରେ ସିଲେଟକାନୀ ଗାଁର ବବଲୁ ବଗର୍ତ୍ତି ଜାନୁଆରୀ ମାସ ୨୨ତାରିଖ ଦିନ ଘରୁ ବାହାରି ଆଉ ଫେରିନଥିଲା । ଫଳରେ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ କରିଥିଲେ। ବବଲୁ ନିଖୋଜ ହେବାର କିଛିଦିନ ପରେ ଅର୍ଥାତ୍ ଫେବୃଆରୀ ୬ ତାରିଖ ଦିନ ତାର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ନିକଟରେ ଥିବା ନଦୀ ଭିତରୁ ଉଦ୍ଧାର କରାଯାଇଥିଲା । ତାକୁ ଗୁପ୍ତଧନ ପାଇଁ ବଳି ଦିଆଯାଇଥିବା ପାରିପାର୍ଶିକ ସ୍ଥିତିରୁ ଅନୁମାନ କରାଯାଇଥିଲା । ହେଲେ ସେହି ଦିନରୁ ତଦନ୍ତ ନାଁରେ ମାମଲା ନାଲି ଫିତା ତଳେ ବନ୍ଧାପଡ଼ିଛି । ଅପରପକ୍ଷେ ବିଭିନ୍ନ ସମୟରେ ଗାଁର ଲୋକମାନେ ହତ୍ୟାକାରୀ ଠାବ କରିବା ପାଇଁ ଦାବି କରି ଆସୁଛନ୍ତି । ତୁରନ୍ତ ବବଲୁ । ହତ୍ୟା ମାମଲାର ହତ୍ୟାକାରୀକୁ ବାହାର କରିବାକୁ ଦାବି ହେଉଛି ।

ସୂଚନାଯୋଗ୍ୟ ଯେ, ଦେଓଗାଁ ଥାନା ଅଞ୍ଚଳରେ ପୁଲିସର ପେଟ୍ରୋଲିଂ କରିବାରେ ଢିଲା ହେଉଥିବାରୁ ଗୋଟିଏ ପରେ ଗୋଟିଏ ଅସାମାଜିକ କାର୍ୟ୍ୟକଳାପ ବଢ଼ିବାରେ ଲାଗିଛି । ଗତ ୫ଦିନ ଭିତରେ ୩ଜଣ ଯୁବତୀ ବନ୍ଧକୁ ଯାଇ ନିଖୋଜ ହେଉଥିବାର ଗାଁ ଗୁଡିକରେ କକୁଆ ଭୟ ଆତଙ୍କ ସୃଷ୍ଟି ହେଉଛି । ଏଣୁ ନିଖୋଜ ହୋଇଥିବା ଯୁବତୀ ମାନଙ୍କୁ ଶୀଘ୍ର ଖୋଜି ବାହାର କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.