ରବିବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଚୂଡ଼ାନ୍ତ

  • ପ୍ରଥମେ ମା’ତାରାତାରିଣୀଙ୍କ ଦର୍ଶନ ଓ ପରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ଆନୁଷ୍ଠାନିକ ଉଦ୍‌ଘାଟନ କାର୍ଯ୍ୟକ୍ରମ ସହ ବିଜୁ-ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ ଉଦ୍ଦେଶ୍ୟରେ ରବିବାର ସକାଳ ୧୦ ଘଣ୍ଟା ୩୦ମିନଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟୋମଯାନରୁ ଅସ୍ଥାୟୀ ହେଲିପ୍ୟାଡରେ ଆକାଶ ମାର୍ଗରୁ ଅବତରଣ କରିବେ । ମା’ ତାରାତାରିଣୀଙ୍କ ପୀଠ ନିକଟସ୍ଥ ପାହାଡ଼ ପାଦ-ଦେଶର ଏକ ଅସ୍ଥାୟୀ ହେଲିପ୍ୟାଡ ସ୍ଥଳେ ଓହ୍ଲାଇ ସର୍ବପ୍ରଥମେ ବିଶ୍ୱବନ୍ଦନୀୟା ମା’ତାରାତାରିଣୀଙ୍କର ଦର୍ଶନ କରି ବିଭୂକୃପା ଲାଭ କରିବା ପରେ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମର ଧାରାବାହିକ ଭାବେ ମୁଖ୍ୟମନ୍ତ୍ରୀ ନିଜର କାର୍ୟ୍ୟପନ୍ଥାରେ ଅଗ୍ରସର ହେବେ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ପ୍ରଥମେ ମା’ଙ୍କ ଦର୍ଶନ ଓ ପରେ ଶୃଙ୍ଖଳିତ ଭାବେ ପରିଚାଳନାଗତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ନିର୍ଦ୍ଧାରୀତ କାର୍ଯ୍ୟସୂଚୀ ପ୍ରକାରେ ତ୍ୱରାନ୍ୱିତ ହେବ ବୋଲି କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୧ ଘଣ୍ଟା ୧୭ ମିନିଟ ସମୟରେ ମା’ତାରାତାରିଣୀଙ୍କ ପୀଠ ପାଦ ଦେଶରେ ଅନୁଷ୍ଠିତ ଏକ ମେଗା ଡିଜିଟାଲ ଭିଡିଓ ପ୍ରଦର୍ଶନୀ ବ୍ୟବସ୍ଥିତ ଭବ୍ୟସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ଗଞ୍ଜାମବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ମୁଖ୍ୟମନ୍ତ୍ରୀ ବଣ୍ଟନ କରିବେ ବୋଲି ସୂଚନା ରହିଛି । ସର୍ବୋପରି ଡିଜିଟାଲ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିତ୍ତିସ୍ଥାପନ ଓ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ଏହି ଆନୁଷ୍ଠାନିକ ଉତ୍ସବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ପରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବେ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପରିବାର କଲ୍ୟାଣ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରମୁଖ ବହୁଗଣ୍ୟମାନ୍ୟ ବ୍ୟକ୍ତି/ଅତିଥି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶେଷରେ ଧନ୍ୟବାଦ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସରକାରୀ ଭାବେ କୁହାଯାଇଛି । ସେଠାରୁ ହେଲିକପ୍ଟରରୁ ଯାଇ ପୁନଃ ହିଞ୍ଜିଳିକାଟୁ ସ୍ଥ ମିନି-ଷ୍ଟାଡିୟମରେ ଅବତରଣ କରିବେ । ସେଠାରେ ପ୍ରଥମେ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବେ । ପ୍ରମୁଖ ଏସ୍‌ଏଚଜି ଗ୍ରୁପଙ୍କୁ ୧ଶହ କୋଟିଟଙ୍କାର ବିଭିନ୍ନ ବ୍ୟାଙ୍କଋଣ ସହାୟତା ବଣ୍ଟନ, ମିଶନଶକ୍ତିର ପ୍ରମୁଖ କାର୍ଯ୍ୟର ଶୁଭାରମ୍ଭ, ଗଞ୍ଜାମ ଦର୍ଶନ ବସର ଆନୁଷ୍ଠାନିକ ଧ୍ବଜା ଦେଖାଇ ଶୁଭାରମ୍ଭ, ବୃନ୍ଦାବନ ବିଦ୍ୟାପୀଠ ହାଇସ୍କୁଲର ସ୍ମାର୍ଟକ୍ଲାସ ତଥା ୫ଟି ଯୋଜନାରେ ନିର୍ମିତ ଅତ୍ୟାଧୁନିକ ଧରଣର ନିର୍ମିତ ଇ-ଲାଇବ୍ରେରୀ, ବିଜ୍ଞାନଗାର ଆଦି ପରିଦର୍ଶନ କରିବା ପରେ ମଧ୍ୟାହ୍ନ ୧୨ଟା-୩୦ ମଧ୍ୟରେ ହେଲିକ୍ୟାପ୍ଟର ମାଧ୍ୟମରେ ଭୁବନେଶ୍ବର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.