ଜାତୀୟ ନିରାପଦ ମାତୃତ୍ୱ ଦିବସରେ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ଆହ୍ୱାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଆଜି ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ ଗୁରୁଙ୍କ ସଭାପତିତ୍ୱରେ କରୋନା ଭୂତାଣୁ ସଂକ୍ରମଣ ସମୟରେ ମା’ ଓ ଶିଶୁଙ୍କ ସୁରକ୍ଷା ବାର୍ତ୍ତା ବିଷୟକ ଆଲୋଚନାଚକ୍ରରେ ନିରାପଦ ମାତୃତ୍ୱ ସହ ନବ ଜନ୍ମିତ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଯତ୍ନ ଉପରେ ଏଡିପିଏଚ୍‌ଓ ପରିବାର କଲ୍ୟାଣ ଡା.ମଂଜୁରାଣୀ ସିଂହ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା.ମାନସ ଦଣ୍ଡପାଟ ଆଲୋଚନା କରିଥିଲେ । ଏହି ଅବସରରେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପ୍ରତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ସହ ପରିସ୍ଥିତିରେ ସୁଧାର ଆଣିବାକୁ ଆହ୍ୱାନ ଦିଆହୋଇଥିଲା । ଜିଲ୍ଲା ସଦର ଡାକ୍ତରଖାନା ସମେତ ନାଇକେନପାଲି, ଡୁଙ୍ଗୁରୀପାଲି, ବିନିକା, ଉଲୁଣ୍ଡା ଓ ବୀରମହାରାଜପୁର ଡାକ୍ତରଖାନାରେ ଆୟୋଜିତ ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନୱାଡିଙ୍କ ସହ ମହିଳା ସଚେତନାକାରୀ ଅଂଶଗ୍ରହଣ କରି ମତ ବିନିମୟ କରିଥିଲେ ।

Leave A Reply

Your email address will not be published.