ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ସହରର ରୁଗୁଡିପଡ଼ା ଛକର ନୂତନ ମାଛ ବଜାର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରାଣା ପଞ୍ଚଦଶ ଅର୍ଥ କମିଶନରୁ ଦଶ ଲକ୍ଷ ବ୍ୟୟ ଅଟକଳରେ ନୂତନ ୨୬ ଗୋଟି ଷ୍ଟଲକୁ ଉଦ୍ଘାଟନ କରିଥିଲେ । ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ପୌରାହିତ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦୀର୍ଘ ଦିନ ହେଲା ଖୋଲା ଆକାଶ ତଳେ ବେପାରୀମାନେ ରାସ୍ତା କଡ଼ରେ ବସି ମାଛ, ମାଂସ ବିକ୍ରି କରି ଆସୁଥିଲେ । ଏହି ଷ୍ଟଲ ହେବା ଦ୍ୱାରା ବେପାରୀମାନେ ଷ୍ଟଲରେ ନିଜ ଜିନିଷପତ୍ର ସୁରକ୍ଷିତ ଭାବେ ରଖିପାରିବେ । ଏହା ସହ ବର୍ଷ ତମାମ ବିଭିନ୍ନ ଋତୁରେ ମାଛମାଂସ ବିକ୍ରି କରିବା ପାଇଁ ଯେଉଁ ସମସ୍ୟା ଉପୁଜୁଥିଲା ତାହା ଅନେକ ପରିମାଣରେ ସୁଧାର ଆସିବ ବୋଲି ମତପ୍ରକାଶ ପାଇଛି । ଅନ୍ୟମାନଙ୍କ ମଧ୍ୟରେ ପୌର କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଗୋଳକ ବିହାରୀ ସାହୁ, ସରୋଜ ମହାରଣା, ସଂଜୟ ନାଗ, ରୋଜାଲିସା ରାଉତ, ଭକ୍ତବନ୍ଧୁ ଦାଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
Next Post