ଓଲିଉଡ଼ ଅଭିନେତା ସବ୍ୟସାଚୀଙ୍କ ସହାୟତାରେ ଘରକୁ ଫେରିବେ ଦୁଇ ଦାଦନ ଶ୍ରମିକ : ଲକଡାଉନ ଦୁଶ୍ଚିନ୍ତାରୁ ମାନସିକ ରୋଗୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ହଜାର ହଜାର ଲୋକଙ୍କ କାମଧନ୍ଦା ଠପ ହୋଇଗଲା । ପୁର୍ବରୁ ସଞ୍ଚିତ ଟଙ୍କା ପଇସା ସବୁ ସରିଗଲା । ଏବେ କାମ ନାହିଁ, ପାଖରେ ଟଙ୍କା ବି ନାହିଁ । ଗୁଜରାଟରେ ସଙ୍ଗହୀନ ହୋଇ ଚଳିବା ଦୁର୍ବିସହ ହୋଇ ପଡିଥିଲା ।ଓଡ଼ିଶାକୁ ଫେରିବା ପାଇଁ ଚାହୁଁଥିଲେ ସୁଦ୍ଧା କଟକଣା ପାଇଁ ଗୁଜୁରାଟ ରାଜ୍ୟରେ ଫଶି ରହିଲେ ।ଦୁଇମାସ ଧରି ଯାବତୀୟ ଦୁଶ୍ଚିନ୍ତାରେ ରହିବା ପରେ ମାନସିକ ଭାରସାମ୍ୟ ହରାଇ ବସିଲେ ଶ୍ରମଜୀବୀ ହାଡୁ କୁମ୍ଭାର । ମତିଭ୍ରମ ଯୋଗୁଁ ବାରମ୍ବାର ଏଣେ ତେଣେ ଚାଲି ଯାଉଥିବାରୁ ସାଙ୍ଗରେ ଯାଇଥିବା ଦୁଇ ବନ୍ଧୁ ନୀଳକଣ୍ଠ ମହାନନ୍ଦ ତାଙ୍କୁ କବାଟ ଦେଇ ଜଗି ରହିଥିଲେ । ଓଡ଼ିଶା ଫେଇବା ପାଇଁ ଦୀର୍ଘ ଦିନ ଧରି ଲୋକଙ୍କୁ ସହଯୋଗ ମାଗି ନିରାଶ ହେବା ପରେ ଶେଷରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଯୋଗାଯୋଗ କଲେ । ନୂଆଁଖାଇ ଅବସରରେ ସବ୍ୟସାଚୀ ସେମାନଙ୍କୁ ଉଦ୍ଧାର କରାଇ ଓଡ଼ିଶାକୁ ଫେରାଇ ଆଣୁଛନ୍ତି । ତେବେ ଗତକାଲି ମଧ୍ୟାହ୍ନରେ ସେମାନେ ଗୁଜୁରାଟରୁ ବାହାରିଛନ୍ତି । ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁଡ଼ାବାହାଲ ପଞ୍ଚାୟତ ଅଧିନସ୍ଥ ରେମଣ୍ଡା ଗ୍ରାମର ହାଡୁ କୁମ୍ଭାରଙ୍କ ଘର । ସେ ଜଣେ ଅତି ନିରୀହ ପରିବାର ଲୋକ ହୋଇଥିବା ବେଳେ ନିଜ ପରିବାର ପୋଷଣ କରିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଶେଷରେ ଏଭଳି ଅବସ୍ଥାର ଶିକାର ହେବାକୁ ପଡିଲା । ପରିବାର ପୋଷଣ ପାଇଁ ୨୦୧୯ ଶେଷ ବେଳକୁ ହାଡୁ ନିଜର ଜଣେ ବନ୍ଧୁ ନୀଳକଣ୍ଠଙ୍କ ସହିତ କାମ କରିବା ପାଇଁ ଗୁଜରାଟକୁ ଯାଇଥିଲେ । ଗୁଜୁରାଟର ମୁର୍ବୀ ସହର ଏକ କାରଖାନାରେ କାମ କରି ନିଜ ପରିବାର ଲୋକଙ୍କ ପାଖକୁ ପ୍ରତିମାସରେ ଟଙ୍କା ପଠାଉଥିଲେ ହାଡୁ । ମାତ୍ର ଲକଡାଉନ ପରଠୁ ତାହା ବି ବନ୍ଦ ହୋଇଗଲା । ପରିବାର ଲୋକେ ନିଜ ଗ୍ରାମ ରେମଣ୍ଡାରେ ରହିଥିବା ବେଳେ ଗୁଜୁରାଟ ରାଜ୍ୟରେ ହାଡୁ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ନୀଳକଣ୍ଠଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ମାର୍ଚ୍ଚ ଶେଷରୁ ଲକଡାଉନ ହେବା ପରେ ଉଭୟ ନେଇଥିବା ଭଡାଘରେ ପଡିରହିଲେ । ଦୀର୍ଘ ଦିନ ଧରି ସେଠାରେ କିଛି ଖାଇବାକୁ ମିଳିନ ଥିବା ନୀଳକଣ୍ଠ ପ୍ରକାଶ କରିଛନ୍ତି । ପରିବାର ଚିନ୍ତାରେ ହାଡୁ ମାନସିକ ଭାରସାମ୍ୟ ହରାଇ ବସିଲେ ।ସେ ଆଉ ଠିକ ଭାବରେ କଥାବାର୍ତ୍ତା କଲେନାହିଁ । ଅନେକ ସମୟରେ ସେ ଘରୁ ବାହାରି ଲକ୍ଷ୍ୟହୀନ ଭାବରେ ଏଣେତେଣେ ଚାଲି ଯାଉଥିଲେ । କିନ୍ତୁ ନୀଳକଣ୍ଠ ଖୋଜାଖୋଜି ପରେ ନିଜ ରହୁଥିବା ଘରକୁ ଫେରାଇ ଆଣୁଥିଲେ । ତେବେ ତାଙ୍କ ସ୍ଥିତି ବିଗିଡିବାରୁ ଶେଷରେ ନୀଳକଣ୍ଠ ତାଙ୍କୁ ତାଲା ପକାଇ ରଖିଲେ । ତାହାରି ଭିତରେ ନୀଳକଣ୍ଠ କିଛି ଟଙ୍କା ସଂଗ୍ରହ କରି ଖାଇବା, ପିଇବା ପାଇଁ ବ୍ୟବସ୍ଥା କରୁଥିଲେ । କିନ୍ତୁ ନିଜ ଭିଟାମାଟି ବଲାଙ୍ଗୀର ଜିଲ୍ଲାକୁ ଫେରିବା ପାଇଁ ତାଙ୍କ ପାଖରେ ଆବଶ୍ୟକ ଟଙ୍କା ନ ଥିବା ବେଳେ ଚିନ୍ତାରେ ଭାଙ୍ଗି ପଡିଥିଲେ । ଶେଷରେ ଗତ ୨୦ତାରିଖରେ ନୀଳକଣ୍ଠ କୈ।ଣସି ମତେ ଅଭିନେତା ସବ୍ୟସାଚୀଙ୍କୁ ଫୋନ କରି ତାଙ୍କ ଦୁରବସ୍ଥା ସମ୍ପର୍କରେ ଭିଡିଓ କଲ କରି ସବୁ ଦୁଃଖ ଜଣାଇଥିଲେ । ଆଣ୍ଠୁଏ ପାଣି ଥିବା ଭଡ଼ାଘରେ ମାନସିକ ରୋଗୀ ହାଡୁ କିପରି ରହିଛନ୍ତି, ତାହା ସବୁ ଭିଡିଓ ମଧ୍ୟରେ ଜଣାଇ ଥିଲେ । ଏହାପରେ ସବ୍ୟସାଚୀ ସେଠିକାର ପ୍ରଶାସନକୁ ଯୋଗାଯୋଗ କରି ଗତକାଲି ତାଙ୍କୁ ଗୁଜୁରାଟରୁ ସମ୍ବଲପୁର ପର୍ୟ୍ୟନ୍ତ ଫେରାଇ ଆଣିବାର ବ୍ୟବସ୍ଥା କରିଛନ୍ତି । ଏପରିକି ସମ୍ବଲପୁରରେ ହାଡୁଙ୍କୁ ତାଙ୍କ ପରିବାର ସହିତ ସାକ୍ଷାତ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ରାଞ୍ଚି ପଠାଇବେ ବୋଲି ସବ୍ୟସାଚୀ ପ୍ରକାଶ କରିଛନ୍ତି । ହାଡୁଙ୍କ ବନ୍ଧୁ ନୀଳକଣ୍ଠ ତାଙ୍କ ସମ୍ବଲପୁର ଅଭିମୁଖେ ଫେରାଇ ଆଣୁଥିବା ବେଳେ ନିଜର ଖୁସି ବ୍ୟକ୍ତ କରି ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ସବ୍ୟସାଚୀଙ୍କ ଏଭଳି ମାନବିକତାଙ୍କୁ ନେଇ ବେଶ ଅଞ୍ଚଳରେ ଚର୍ଚ୍ଚା ଜୋର ହେଉଥିବା ବେଳେ ସବ୍ୟସାଚୀଙ୍କ ସାହାଯ୍ୟର ହାତ ବଢ଼ାଇଥିବା ଯୋଗୁଁ ସଇଁନ୍ତଳା ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.