pr

କ୍ୟାଡର ପୁନର୍ବିନ୍ୟାସ ନକଲେ ଆନ୍ଦୋଳନ କରିବ କୃଷି ସେବା ସଂଘ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନରୁ କ୍ୟାଡର ପୁନର୍ବିନ୍ୟାସ ପାଇଁ ଦାବୀ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଶୁଣୁ ନଥିବାରୁ ଆସନ୍ତା ଅଗଷ୍ଟ ୮ ତାରିଖରେ ସରକାରଙ୍କୁ ଏ ସଂକ୍ରାନ୍ତରେ ଦାବୀ ପତ୍ର ଦେଇ ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ଆଭିମୁଖ୍ୟ ସକାରାତ୍ମକ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛି ବଲାଙ୍ଗିର ଜିଲ୍ଲା କୃଷି ସେବା ସଂଘ । ରାଜ୍ୟ ସରକାରଙ୍କ ନୀରବତା କୃଷି ସେବା ସଂଘର ଦାବୀ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଅନୁମିତ ହେଉଥିବାରୁ ଓଡିଶା ରାଜ୍ୟ କୃଷି ସେବା ସଂଘର ରାଜ୍ୟସ୍ତରୀୟ ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲା ସ୍ତରରେ ଏହି ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଜିଲ୍ଲା ସଂଘର କର୍ମକର୍ତ୍ତା ମାନେ ।

ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ, ଭାରତ ସରକାର ୨୦୧୬ରେ ଏକ ବିଜ୍ଞପ୍ତି ଦ୍ୱାରା କୃଷି ଭିତ୍ତିକ ଶିକ୍ଷାକୁ ବୃତ୍ତିଗତ ଶିକ୍ଷାର ମାନ୍ୟତା ପ୍ରଦାନ କରିବା ପରେ ରାଜ୍ୟ ସରକାର ଅନ୍ୟ ବୃତ୍ତିଗତ ଶିକ୍ଷାପ୍ରାପ୍ତ କ୍ୟାଡର ସହ ସମାନ କରି କୃଷି ଅଧିକାରୀମାନଙ୍କୁ ଗୃପ ‘ଏ’ରେ ନିଯୁକ୍ତି ଦେବାକୁ ରାଜ୍ୟ କୃଷି ସେବା ସଂଘ ଦୀର୍ଘ ଦିନ ହେଲା ଦାବୀ କରି ଆସିଛି । ଏହା ସହ କୃଷି ବିଭାଗରେ ଅନେକ ଦିନରୁ ବହୁ ପଦବୀ ଖାଲି ରହିବା କାରଣରୁ ବିଭାଗୀୟ ଅଧିକାରୀମାନଙ୍କ ଉପରେ ମାନସିକ ଚାପ ପଡୁଥିବା ବେଳେ କ୍ୟାଡର ପୁନର୍ବିନ୍ୟାସ ନହେବା ସେମାନଙ୍କ ମାନସିକ ଦୁଶ୍ଚିନ୍ତାକୁ ବଢାଉଛି । ଏପରିକି ଗୋଟିଏ ବେତନ ହାରରେ ଲେଭେଲ ୧୩ରେ ଦୁଇଟି ପଦୋନ୍ନତି ପରି ଅସଙ୍ଗତି ମଧ୍ୟ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯଥା- କୃଷକ ଓଡିଶା, ଯାନ୍ତ୍ରିକ କୃଷି, ଡିଜିଟାଲ କୃଷି, ଅର୍ଥକାରୀ ଫସଲ ମିଶନ, କ୍ଷୁଦ୍ରଶସ୍ୟ ମିଶନ ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଭଳି ଅନେକ ଯୋଜନାର କାର୍ଯ୍ୟାନ୍ୱୟନ କମ ସଂଖ୍ୟକ ଅଧିକାରୀଙ୍କ ଉପରେ ଛାପ ହେଉଛି । ପୁଣି କୃଷି ମଙ୍ଗଳକାରୀ ଯୋଜନା ସମୂହର କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର କୃଷି ବଜେଟ ହେଉଥିବା ବେଳେ କୃଷି ସେବାରେ କ୍ୟାଡର ପୁନର୍ବିନ୍ୟାସ ନ କରିବା, ନୂତନ ପଦବୀ ସୃଷ୍ଟି ନ କରିବା କୃଷି ଅଧିକାରୀମାନଙ୍କୁ ମାନସିକ ଚାପ ଦେଉଥିବା ସଂଘ ପକ୍ଷରୁ କୁହାଯାଇଛି । ଏଣୁ ଓଡିଶା କୃଷି ସେବା ସଂଘ ତରଫରୁ ପ୍ରମୁଖ ଶାସନ ସଚିବଙ୍କୁ ପୂର୍ବରୁ ଦାବୀପତ୍ର ଦିଆଯାଇଛି । ପୂର୍ବ ଦାବୀ ପତ୍ର ଆଧାରରେ ଆସନ୍ତା ଅଗଷ୍ଟ ୮ ତାରିଖରେ ରାଜ୍ୟ ସରକାରଙ୍କୁ ଦାବୀପତ୍ର ଦିଆଯିବ । ସରକାର ନ୍ୟାୟୋଚିତ ଦାବୀକୁ ଗ୍ରହଣ ନ କଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଅନୁସରଣ କରିବ ବୋଲି ବଲାଙ୍ଗିର ଜିଲ୍ଲା କୃଷି ସେବା ସଂଘ ତରଫରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ।

nrusinghnath
Leave A Reply

Your email address will not be published.