ତାଲପାଲିପଡ଼ାର ରାସ୍ତା ଅବସ୍ଥା ସୁଧୁରିବ କେବେ : ଅତିଷ୍ଟ ହେଲେଣି ପଡ଼ବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ଭିତରେ ଥିବା ତାଲପାଲିପଡ଼ାର ରାସ୍ତାର ଅବସ୍ଥା ଅସମ୍ଭାଳ ହୋଇପଡ଼ିଛି । ଲକ୍‌ଡାଉନ୍‌ ସମୟ ପୂର୍ବରୁ ଡ୍ରେନ କାମ ଆରମ୍ଭ ହୋଇଥିଲେ ମଧ୍ୟ ସେତେଦିନରୁ ଆଜି ପର୍ଯ୍ୟନ୍ତ କାମ ଠପ୍‌ ହୋଇ ପଡ଼ିରହିଛି । ଅନ୍ୟପଟେ ପାଣି କାଦୁଅରେ ଘାଂଟି ହେଉଛି ମୁଖ୍ୟ ରାସ୍ତା ।

ସୂଚନାଯୋଗ୍ୟ ଯେ, ହାଟପଦାପଡ଼ାରୁ କନ୍ଧପାଲିପଡ଼ା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା କାମ ପାଇଁ କୁଆଡେ଼ ଟେଣ୍ଡର ହୋଇସାରିଛି ଦୀର୍ଘ ମାସ ହେଲା । କିନ୍ତୁ କାମ କାହିଁକି ଆରମ୍ଭ ହେଉନି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ପଡ଼ାବାସୀଙ୍କ ମଧ୍ୟରେ ।

ଏହି ରାସ୍ତା ଦେଇ ଲୋକେ ସାଇକେଲ, ମୋଟର ସାଇକେଲ୍‌ରେ ବି ଯିବାକୁ ଏବେ ସୁରକ୍ଷିତ ମଣୁନାହାନ୍ତି । ସହର ଭିତରେ ପ୍ରଶାସନର ନାକ ତଳେ ଏଭଳି ଅବହେଳାକୁ ସହଜରେ ଲୋକେ ହଜମ୍‌ କରି ପାରୁନଥିବା ବେଳେ ଆଉ କେବେ ତାଲପାଲିପଡ଼ାର ରାସ୍ତାର ଅବସ୍ଥା ସୁଧୁରିବ ବୋଲି ପ୍ରଶ୍ନ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସହରର ସବୁପଟେ ରାସ୍ତା କାମ ହେଉଥିବା ବେଳେ ତାଲପାଲିପଡ଼ାର ରାସ୍ତା କାମ ଦୀର୍ଘ ଦଶ ବର୍ଷରୁ ଅଧିକ ହେଲା ହୋଇନାହିଁ । ଏମିତି ପାତର ଅନ୍ତର କରିବା ଭଳି ପ୍ରଶାସନର ପଦକ୍ଷେପ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave A Reply

Your email address will not be published.