ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ କାରାଗାର ଅନ୍ତେବାସୀଙ୍କ ସହ ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ଆଧାରିତ କାର୍ଯ୍ୟକ୍ରମ ‘ପରିବର୍ତ୍ତନ’
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପବିତ୍ର ବାହୁଡା ଯାତ୍ରା ଚାଲିଥିବା ବେଳେ ରାଉରକେଲା ସ୍ୱତନ୍ତ୍ର କାରାଗାର ପରିସରରେ ସ୍ୱାଧୀନତାର ୭୫ ବର୍ଷ ତଥା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ‘ପରିବର୍ତ୍ତନ’ ଆଧାରିତ ଏକ ସଙ୍ଗୀତ କାର୍ଯ୍ୟକ୍ରମ କାରାଗାର ଅନ୍ତେବାସୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶଭକ୍ତି ସଙ୍ଗୀତ ଏବଂ ଭଜନ ପରିବେଷଣ କରାଯାଇଥିଲା । ରାଉରକେଲାର ମ୍ୟୁଜିକ ସେଲିବ୍ରେସନ ନାମକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହାର ସଦସ୍ୟମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ପରିବେଷଣ କରିଥିଲେ । ସମସ୍ତ କଳାକାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜେଲ ଅଧିକ୍ଷକ ଜୀବନ ସିଂ ମୁଣ୍ଡା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଇନ୍ଦରଜିତ ସିଂ ଯୋଗ ଦେଇଥିଲେ । ଝୁନୁ ନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋନାଲିସା ଗୌଡ଼ ମଞ୍ଚ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ କାଉନସିଲର ଗୌରୀ ପଣ୍ଡା, ପ୍ରୋବେସନ ଅଫିସର ପ୍ରଭଞ୍ଜନ ମଣ୍ଡଳ, ଜେଲର ରତିକାନ୍ତ ଶୁକ୍ଲା ଏବଂ କାରାଗାରର କର୍ମଚାରୀଙ୍କ ମଧ୍ୟରେ ସହକାରୀ ଜେଲର କମଳ ଲୋଚନ ଓ ସଂଗୀତା, ହିସାବରକ୍ଷକ ଶୁଭ୍ରଜିତ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ମ୍ୟୁଜିକ ସେଲିବ୍ରେସନ ପକ୍ଷରୁ ଭଜନ ଓ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିଲେ ଝୁନୁ ନାୟକ, ପିଙ୍କି ପ୍ରିୟଦର୍ଶିନୀ, ଅଞ୍ଜଳି ପୃଷ୍ଟି, ରୀନା କଦମାୱାଲା, ବସନ୍ତ ତାଣ୍ଡି, ରଜତ କୁମାର ସାହୁ, ତପନ ଷଡ଼ଙ୍ଗୀ, କିଶୋର ନାଗ, ତରୁଣ କୁମାର, ଏମଡି ଅଫରୋଜ ପ୍ରମୁଖ । ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ମନୋଜ କୁମାର ନାୟକ ଓ ଅମିତ ସିଂ ରାଣା ଏବଂ ସାଥୀ । କାରାଗାରର ଅନ୍ତେବାସୀମାନେ ଏହି କାର୍ଯ୍ୟକ୍ରମର ଭରପୁର ଆନନ୍ଦ ନେବା ସହ ବେଶ ଝୁମି ଉଠିଥିଲେ ।