ବରଗଡ ସୁଗାର ମିଲ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଧାୟକଙ୍କୁ ଭେଟିଲେ କର୍ମଚାରୀ ସଂଘ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଧାନ ସଭା ଚାଲିବା ସମୟରେ ବରଗଡ ସମବାୟ ଚିନିକଳ କର୍ମଚାରୀ ସଂଘ ପକ୍ଷରୁ ୟୁନିଅନ ସଭାପତି ପ୍ରଦୀପ ଦେବତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ତାଙ୍କୁ ଚିନିକଳ ସମସ୍ୟାର ସମାଧାନ କରିବାକୁ ଓ ଏଥିପ୍ରତି ତ୍ୱତନ୍ତ୍ର ଦୃଷ୍ଟିପାତ କରିବାକୁ କହିଥିଲେ । କର୍ମଚାରୀମାନେ ୫୯ ମାସ ଦରମା ନ ପାଇ ଦୟନୀୟ ସ୍ଥିତିରେ ଗତି କରିବା ସହିତ ଚିନିକଳର ସୁରକ୍ଷାରେ ନିୟୋଜିତ ୧୨ ଜଣ କର୍ମଚାରୀ ତାଙ୍କ ପ୍ରାପ୍ୟ ନ ପାଇ ମୃତ୍ୟୁ ବରଣ କଲେଣି ବୋଲି ଅବଗତ କରାଇଥିଲେ । ସଭାପତି ​ଶ୍ରୀ ଦେବତା କାନପୁର ସ୍ଥିତ ଚିନିକଳ ପ୍ରତିଷ୍ଠାନର ଏକ ବୈଷୟିକ କମିଟି ଚିନିକଳକୁ ଆସି, ଏହି ଚିନିକଳକୁ ଲାଭାନ୍ୱିତ ତଥା ବଞ୍ଚାଇବା ପାଇଁ ଏକ ଇଥାନଲ କାରଖାନା ବସାଇବା ପାଇଁ ତା.୯ ସେପ୍ଟେମ୍ବର ୨୦୨୧ ମସିହାରେ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଏବଂ ତା ଉପରେ ବରଗଡ ସମବାୟ ଚିନିକଳର ପୁନଃ କାର୍ଯ୍ୟକ୍ଷମ ପାଇଁ ତତ୍‌କାଳୀନ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ୭ ଡିସେମ୍ବର ୨୦୨୧ରେ ବସିଥିବା ଏବଂ ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବୈଠକର ତିନି ସପ୍ତାହ ମଧ୍ୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ, ବରଗଡ ସମବାୟ ଚିନିକଳକୁ ପରିଦର୍ଶନରେ ଆସି ଚିନିକଳର ପୁନଃରୁଦ୍ଧାରର ନିଷ୍ପତ୍ତି ନେବା କଥା ଉଠାଇଥିଲେ । କେଉଁ କାରଣରୁ କମିଟି ଆସୁ ନାହାନ୍ତି ବୋଲି ପଚାରି ବୁଝିବା ସହିତ କମିଟି ପଠାଇବା ପାଇଁ ଅନୁରୋଧ କରିଥିଲେ ।

​ବରଗଡ ବିଧାୟକ ରାଜ୍ୟ ସରକାରଙ୍କୁ ଚିନିକଳର କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଦେଇଥିବା ଟ.୨୩.୩୫ କୋଟିର ପ୍ରସ୍ତାବ ଏବେ ସରକାରଙ୍କ ବିଚାରଧିନ ଥିବା ଏବଂ ସେ ଏଥିପ୍ରତି ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ସହିତ ଇଡକୋ ଚିନିକଳ ଚର୍ତୁପାର୍ଶ୍ଵରେ ବାଡ଼ ଦେବା ପାଇଁ ଅର୍ଥ ପ୍ରଦାନ କରିବ ବୋଲି କହିଥିଲେ । ଆଲୋଚନା ସମୟରେ ସଂଘର ସମ୍ପାଦକ ସୁବ୍ରତ କୁମାର ସାହୁ ଏବଂ ମିଲର ପୂର୍ବତନ ଲୋକ ସଂପର୍କ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.