ନାହିଁ ନାହିଁରେ ଚଳୁଛି ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ : ନାହାନ୍ତି ଜଣେ ବି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଏହି ବ୍ଲକର ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଭୁଶୁଡ଼ି ଯିବା ଉପରେ ଅଛି, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବର୍ତ୍ତମାନ କର୍ମଚାରୀମାନଙ୍କ ମରୁଡ଼ି ପଡିଛି ବୋଲି ମତ ପ୍ରକାଶ ପାଉଛି । ଗ୍ରାମବାସୀଙ୍କ କହିବା ଅନୁସାରେ ପାଖାପାଖି ତିନିବର୍ଷ ହେବ ଏହି କାର୍ଯ୍ୟାଳୟରେ ଥିବା ତିନୋଟି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଖାଲି ରହିଥିବାରୁ ଶିକ୍ଷା ବ୍ୟବସ୍ଥା ଦୋହଲି ଯାଇଛି । କିଛି ଦିନ ପୂର୍ବରୁ ଏହି କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ ତଥା ପୂର୍ବତନ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରପଡିବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଉଛି । ଏହି ଲଜ୍ଜାଜନକ ଘଟଣା ଘଟିବା ପରେ ବର୍ତ୍ତମାନ ପରିସ୍ଥିତିରେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ସୂଚନା ରହିଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦାୟିତ୍ବ ତିନିଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତୁଲାଉଛନ୍ତି ବୋଲି ଜଣାପଡିଛି । ଏହି ସବୁ ସମସ୍ୟା ଯୋଗୁଁ ଝାରବନ୍ଧ ବ୍ଲକରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଯେମିତିକି ଶିକ୍ଷକମାନଙ୍କ ପଦୋନ୍ନତି ଆଦିରେ ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଯାହାପାଇଁ ଶିକ୍ଷକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ସବୁ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ସରକାର ଦାୟିତ୍ୱ ନିଅନ୍ତୁ ବୋଲି ଅଭିଭାବକବୃନ୍ଦ ଦାବୀ କରୁଛନ୍ତି ।

Leave A Reply

Your email address will not be published.