କାଳବୈଶାଖୀ ମାଡ଼ରେ ଛତ୍ରପୁର ଅଞ୍ଚଳରେ ଆଂଶିକ କ୍ଷୟକ୍ଷତି

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଶନିବାର ଅପରାହ୍ନରେ ହଠାତ୍‌ କାଳବୈଶାଖୀ ଆସି ପ୍ରାୟ ୪୦ / ୫୦ କିମି ବେଗରେ ଝଡ଼ ପବନ ବୋହିବା ଫଳରେ ଛତ୍ରପୁର ଅଞ୍ଚଳରେ ଆଂଶିକ କ୍ଷୟକ୍ଷତି ହୋଇଯାଇଛି । ଛତ୍ରପୁର ସହରାଞ୍ଚଳରେ ଗଛଡାଳ ଭାଙ୍ଗି ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାରଛିଣ୍ଡି ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା । ଜିଲ୍ଲା ସଦରମହକୁମା ଛତ୍ରପୁର ସହରର ପାର୍କ, ସୌନ୍ଦର୍ଯ୍ୟିକରଣ ସ୍ଥାନ, ଦପ୍ତରାଞ୍ଚଳ, ଭିଆଇପିରୋଡ଼ ଆଦିସ୍ଥାନରେ ରାସ୍ତାପାର୍ଶ୍ଵରେ ଲଗାଯାଇଥିବା ଅନେକ ଗଛଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଥିଲା । ସହରାଞ୍ଚଳ ନିର୍ବାହୀଅଧିକାରୀ ଏନ୍.ଗଣେଶ ବାବୁ ଯଥାଶୀଘ୍ର ଏହାର ପ୍ରତିକାର ବ୍ୟବସ୍ଥା କରି ରାସ୍ତା ନିର୍ମଳ କରିଥିଲେ । ସେହିପରି ଛତ୍ରପୁର ଆଖପାଖ ଅଞ୍ଚଳର ବାଡିବଗିଚାମାନଙ୍କରେ ଝାଉଁଗଛ, ସଜନା ଗଛ, କଦଳୀ ଗଛ, ଆମ୍ବ ଓ ପଣସଗଛ ଏବଂ କାଜୁତୋଟାରୁ ଫଳନ୍ତି କଷିଫଳ ଆଦି ଝଡିପଡ଼ି ଉଦ୍ୟାନ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି ।

Leave A Reply

Your email address will not be published.