ରାଉରକେଲା ଦେଖିଲା ଐତିହାସିକ ଯୁବ ସମ୍ମିଳନୀ

  • ବିପିୟୁଟି କନଫରେନ୍ସ ହଲରେ ଆୟୋଜିତ ବିକଶିତ ଭାରତ ବିକଶିତ ଓଡ଼ିଶାରେ ଯୁବକଙ୍କ ଭୂମିକା କାର୍ଯ୍ୟକ୍ରମରେ ଯୋଗ ଦେଲେ ସମ୍ପୂର୍ଣ୍ଣ ରାଉରକେଲାରୁ ୧୨୦୦ ଛାତ୍ରଛାତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବିପିୟୁଟି ସମ୍ମିଳନୀ କକ୍ଷରେ ନରେନ୍ଦ୍ର ମୋଦି ସେବା ସଂକଳ୍ପ ସମିତି ଏବଂ ନବଜ୍ୟୋତି ଏନଜିଓ ଦ୍ୱାରା ଆୟୋଜିତ “ବିକଶିତ ଭାରତ ବିକଶିତ ଓଡ଼ିଶାରେ ଯୁବକଙ୍କ ଭୂମିକା” କାର୍ଯ୍ୟକ୍ରମ ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଐତିହାସିକ କାର୍ଯ୍ୟକ୍ରମ ଯୁବ ସମାଜର ସଶକ୍ତିକରଣ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ତଥା ଚିନ୍ତାନାୟକ ସନାତନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିପିୟୁଟିର କୁଳପତି ଅମିୟ କୁମାର ରଥ ଏବଂ ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଦିଗଦର୍ଶନ ଦେଇଥିଲେ । ସକାଳ ୧୦ଟାରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଏବଂ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ରାଉରକେଲାର ୧୨ଟି ପ୍ରମୁଖ ମହାବିଦ୍ୟାଳୟରୁ ୧୨୦୦ରୁ ଅଧିକ ଉତ୍ସାହୀ ଛାତ୍ରଛାତ୍ରୀ ଏହି ଐତିହାସିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସମସ୍ତ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ରାଉରକେଲାର ବିଭିନ୍ନ ପ୍ରତିଭାବାନ ଯୁବକ ତଥା ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ୨୮ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ “ରାଉରକେଲା ଯୁବ ପ୍ରତିଭା ସମ୍ମାନ” ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ମୁଖ୍ୟ ବକ୍ତା ସନାତନ ପ୍ରଧାନ ନିଜର ପ୍ରେରଣାଦାୟୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ, ନୂତନ ଶିକ୍ଷା ନୀତି-୨୦୨୦, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ସରକାରଙ୍କ ନିଯୁକ୍ତି ନୀତି ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ଏବଂ ଏଥିରେ ଯୁବ ସମାଜର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜର ବକ୍ତବ୍ୟରେ ଯୁବକମାନଙ୍କୁ ଉତ୍ସାହିତ କରି ଭାରତକୁ ବିଶ୍ୱଗୁରୁ ସ୍ଥାନରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ । ସେ ବର୍ତ୍ତମାନର ଯୁବପିଢ଼ି ଭାରତ, ଓଡ଼ିଶା ତଥା ରାଉରକେଲାର ଭବିଷ୍ୟତ ବୋଲି ଉଲ୍ଲେଖ କରି ସେମାନଙ୍କୁ ଦେଶର ବିକାଶ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ବିପିୟୁଟି କୁଳପତି ଅମିୟ କୁମାର ରଥ ନିଜର ଜ୍ଞାନଗର୍ଭ ଅଭିଭାଷଣରେ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ରାଉରକେଲାକୁ କିପରି ଏକ ସ୍ମାର୍ଟ ସିଟି ଭାବରେ ଗଢ଼ି ତୋଳିବା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିକାଶର ନୂତନ ଦିଗନ୍ତ ସୃଷ୍ଟି କରିବା ବିଷୟରେ ଆଲୋଚନା କରିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ନୂତନ ଗବେଷଣା ଏବଂ ନବସୃଜନ ପାଇଁ ପ୍ରେରଣା ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ସଫଳ ସଂଯୋଜନା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠିତ ଅଧିବକ୍ତା ଏବଂ ସୁନାମଧନ୍ୟ ଲେଖକ ରିତେଶ ପୃଷେଠ କରିଥିଲେ । ତାଙ୍କର କୁଶଳୀ ନେତୃତ୍ୱରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଦିନବ୍ୟାପୀ ଏହି କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ମହାବିଦ୍ୟାଳୟର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ, ସାଂସ୍କୃତିକ ନୃତ୍ୟ, ଦେଶଭକ୍ତି ସଙ୍ଗୀତ, ସମୂହ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

Leave A Reply

Your email address will not be published.