
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସାହାରା ଟ୍ରଷ୍ଟ ଆବାସିକ ହାଇସ୍କୁଲର ଛାତ୍ରୀ ଶୁଭଦର୍ଶିନୀ ପୂଝାରୀ ଜିଲ୍ଲାରେ ସର୍ବାଧିକ ୫୬୯ ନମ୍ବର ରଖିବା ସହ ଜିଲା ଟପ୍ୱର ହୋଇଛନ୍ତି । ଶୁଭଦର୍ଶିନୀଙ୍କ ଘର ଜଲ୍ଲାର ଉଲୁଣ୍ଡା ବ୍ଲକ ହିକୁଡି ପାଖ ନୂଆଗାଁ । ଏହି ଖବର ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବାପା ସନତ ପୁଝାରୀ ଓ ମାତା ସସ୍ମିତା ପୂଝାରୀଙ୍କ ଝିଅ ଅଟନ୍ତି ଶୁଭଦର୍ଶିନୀ । ବାପା ସୋନପୁର ଠାରେ ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ବେଳେ ମା” ଜଣେ ଗୃହିଣୀ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଶୁଭଦର୍ଶିନୀ ବିନା କୋଚିଂରେ ଏହି ସଫଳତା ହାସଲ କରିଛନ୍ତି । ସେ ସ୍କୁଲ ପଢା ବାହାରେ ଦୈନିକ ୬ରୁ ୮ ଘଣ୍ଟା ଘରେ ପରିଶ୍ରମ କରି ଏହି ସଫଳତା ଆଣିଛନ୍ତି । ସେ ଭବିଷ୍ୟତରେ ଜଣେ ଡ଼ାକ୍ତର ହୋଇ ସେବା ପ୍ରଦାନ କରିବା ଦିଗରେ ଆଗଭର ହେବା ନେଇ ସୂଚନା ଦେଇଛନ୍ତି । ଏହା ଜଣାପଡ଼ିବା ପରେ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସହ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଷଷ୍ଠ ଶ୍ରେଣୀରୁ ସାହାରା ଟ୍ରଷ୍ଟ ହାଇସ୍କୁଲରେ ସେ ପାଠ ପଢୁଥିଲା ବେଳେ ଏହି ସଫଳତାର ଶ୍ରେୟ ମା, ବାପା, ଗୁରୁଜନ ଓ ସାହାରା ଟ୍ରଷ୍ଟ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ।