ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବନ ବିଭାଗ ପକ୍ଷରୁ ବାଘ ଛାଲ ଓ ଦେଶୀ ବନ୍ଧୁକ ଜବତ କରାଯାଇଥିବା ବେଳେ ଏହାକୁ ବନ ବିଭାଗ ମୁହଁ ଖୋଲୁନାହାନ୍ତି । ଘଟଣାରୁ ପ୍ରକାଶ ଯେ, ଜି. ଉଦୟଗିରି ବନ ବିଭାଗ ଅନ୍ତର୍ଗତ କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ବନ କର୍ମଚାରୀମାନେ ଖବର ପାଇ ୨ଟି ସ୍ଥାନରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ଏକ ଦେଶୀ ବନ୍ଧୁକ ସହ ଏହି ଘଟଣାରେ ୨ ଜଣକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ସହ ବାଘ ଶିକାରରେ ଅନ୍ୟ କିଛି ଜଣ ସମ୍ପୃକ୍ତ ଥିବା ନେଇ ତନାଘନା ତଦନ୍ତ ଚଳାଇ ଅନ୍ୟମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି କିନ୍ତୁ ଏହି ଘଟଣାକୁ ନେଇ ବନ ବିଭାଗ ଅଧିକାରୀଙ୍କ ମୁଁହ ଖୋଲୁନାହିଁ । କୌଣସି ପ୍ରତିକ୍ରିୟା ଦେବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି ଏବଂ ଜି. ଉଦୟଗିରି ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ମରାଯାଇ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଉ ନଥିବା ବେଳେ ଖବର ପାଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ବନ ବିଭାଗ କାର୍ଯ୍ୟାଳୟକୁ ଖବର ସଂଗ୍ରହ ପାଇଁ ଯାଇ ମୁଖ୍ୟ ଫାଟକ ବାହାରେ ଦୀର୍ଘ ସମୟ ଅପେକ୍ଷା କରି ଫେରିଯାଇଥିଲେ । ଏ ସମ୍ପର୍କରେ ଜି. ଉଦୟଗିରି ବନ ବିଭାଗ ଏସିଏଫ କାଜଲ ନାୟକଙ୍କୁ ଫୋନ ଯୋଗେ ପଚାରିବା ପରେ ସେ ତଦନ୍ତ ଚାଲିଛି ଓ ଆପଣମାନେ ସହଯୋଗ କରନ୍ତୁ । ଡି.ଏଫ.ଓ ସାର ଆସିଲେ ସମସ୍ତ ତଥ୍ୟ ପ୍ରଦାନ କରିବେ ବୋଲି କହିଥିଲେ ଏବଂ ଅଧିକ ସୂଚନା ପାଇଁ ଫୁଲବାଣୀ ଡିଏଫଓ ପ୍ରଶାନ୍ତ ପଟେଲଙ୍କୁ ଏହି ଘଟଣା ବିଷୟରେ ପଚାରିବା ପରେ ସେ କହିଲେ ଯେ, ତଦନ୍ତ ଚାଲିଛି, ଏବେ କିଛି କହି ହେବନି ତଦନ୍ତରେ ବାଧା ସୃଷ୍ଟି ହେବ ଏବଂ ତଦନ୍ତ ସାରିବା ପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।
Next Post