ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନଦୀବନ୍ଧର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ବନ୍ଧ କାମ କରାଯାଉଛି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାମ ଏବଂ ମଧୁଚନ୍ଦ୍ରିକା ଯୋଗୁ ନିମ୍ନମାନର କାମ ହେଉଥିବା ବେଳେ ଲୋକଙ୍କ ମଜୁରୀ ଏପର୍ଯ୍ୟନ୍ତ ମିଳିନଥିବା ଯୋଗୁଁ ହଇରାଣ ହେଉଥିବା ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ଅନ୍ତର୍ଗତ ବାଦୀମାଲ ଏବଂ ଚହକପଡ଼ା ଗ୍ରାମରେ ଜଳସେଚନ ବିଭାଗ ତିଆରି କରୁଥିବା ନଦୀବନ୍ଧ କଥା ଅସରାଏ ବର୍ଷା ହେଲେ ନଦୀବନ୍ଧ ବେହାଲ ହୋଇପଡୁଛି । ନଦୀବନ୍ଧର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିଲେ ମଧ୍ୟ ଖରା ଦିନେ କାମ ନକରି ଠିକାଦାର ବର୍ଷା ଦିନେ କାମ କରୁଥିବା ଅଭିଯୋଗ କରାଯାଇଛି । ସେପଟେ ଅସରାଏ ବର୍ଷା ହେଲେ ବନ୍ଧ କାମ ପାଇଁ ଜମା ହୋଇଥିବା ମାଟି ଧୋଇ ନଦୀରେ ମିଶି ଯାଉଥିବାବେଳେ ନିମ୍ନମାନର କାମ ଯୋଗୁଁ ବନ୍ଧର ବିଭିନ୍ନ ସ୍ଥାନରେ ପାଣି ବାହାରୁଛି । ବନ୍ଧର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ । ବର୍ଷା ଦିନ ଆସିଲାଣି, କିନ୍ତୁ ନଦୀ ବନ୍ଧ କାମ ଅଧାପନ୍ତରିଆ । ନିର୍ମାଣ ଅବଧି କେତେ ଦିନ ତାହା ମଧ୍ୟ କାହାକୁ ଜଣା ନାହିଁ ନା ଅଛି ସୂଚନା ଫଳକ ନା କୌଣସି ବିଭାଗୀୟ ଅଧିକାରୀ ଜାଣିଛନ୍ତି । ଜଦି ନିର୍ମାଣ ଅବଧି ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ବନ୍ଧର ବିଭିନ୍ନ ସ୍ଥାନରେ ମାଟି ଜମା କରି କାମ ସାରି ଦେଇଛି ଠିକାଦାର । କୋଟି କୋଟି ଟଙ୍କାରେ ବନ୍ଧକାମ କରାଯାଉ ଥିବା ବେଳେ ବିଭାଗୀୟ ଯନ୍ତ୍ରୀ କିଏ ଏବଂ ସେ କାହିଁକି ବନ୍ଧ କାମରେ ଉପସ୍ଥିତ ରହୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବନ୍ଧର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ କହିବା ଅନୁସାରେ ବେଲପଡା ବ୍ଲକ କିନ୍ଦରିଟାଲ ଗ୍ରାମର ଜୈନିକ ଠିକାଦାର ଏହି କାମ ତୁଳାଉଛନ୍ତି । ତାଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନଥିଲେ । ନଦୀବନ୍ଧ କାମ ପାଇଁ ସରକାର ବନ୍ଧର ସୁରକ୍ଷା କୁନେଇ କୋଟି କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ କେଉଁ ବିଭାଗର କାମ ଏବଂ ଠିକାଦାର ଜଣକ ଏତେ ନିମ୍ନମାନର କାମ କରୁଥିବା ବେଳେ ବିଭାଗୀୟ ଅଧିକାରୀ ନିରବ ଦ୍ରଷ୍ଟା ସାଜିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଏଦିଗରେ ଜିଲ୍ଲା ଅଧିକାରୀ ଦୃଷ୍ଟି ଦେଇ କାମର ତଦାରଖ କଲେ ସମସ୍ତ ଗ୍ରାମବାସୀଙ୍କ ଚିନ୍ତା ଦୂର ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।