କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟାଙ୍କ ଟିଟିଲାଗଡ ଗସ୍ତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତିଙ୍କ ଟିଟିଲାଗଡ ଗସ୍ତ କାର୍ଯ୍ୟକ୍ରମ କରି ସଇଁନ୍ତଲା ରେଞ୍ଜରେ କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

କେନ୍ଦୁପତ୍ର କର୍ମଚାରୀ ସଂଘ ଡିଭିଜନ ସମ୍ପାଦକ ରାଜ କୁମାର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି, କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କ ଦ୍ଵାରା ଘୋଷିତ ଏବଂ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କରାଯାଇଥିଲା । ବିଶେଷ ଭାବରେ ଦିଆଯାଉଥିବା ବୋନସ, ମୃତ୍ୟୁକାଳୀନ ସହାୟତା, ପାଣି ବୋତଲ, ଚପଳ, ପରିଚୟ ପତ୍ର, ଗୋଛା କଟେଇ, ଫଡି ମରାମତି ବିଷୟରେ ଆଲୋଚନା କରାଯାଇଥିଲା । ୨୦୧୯ ମସିହାରୁ ବନ୍ଦ ଥିବା ଛାତ୍ର ବୃତ୍ତି ସାହାଯ୍ୟ ପୁନର୍ବାର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏଇ ଶିକ୍ଷାବର୍ଷରେ କାର୍ଯ୍ୟକାରୀ କରାଯାଉଛି କିନ୍ତୁ ଛାତ୍ର ବୃତ୍ତି ଆବେଦନ ତାରିଖ ମାର୍ଚ୍ଚ ୧୫ରେ ସମାପ୍ତ ହୋଇଯାଇଥିବା ବେଳେ ଏହି ତାରିଖକୁ ଏପ୍ରିଲ ୩୦ ତାରିଖ ଯାଏଁ ବୃଦ୍ଧି କରିବା ପାଇଁ ତୋଳାଳୀମାନେ ଦାବୀ କରିଥିଲେ ।

ପ୍ରତ୍ୟେକ ତୋଳାଳୀ ଏବଂ ସିଜିନାଲ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ପରେ ଟିଟିଲାଗଡ କେନ୍ଦୁପତ୍ର ଡିଭିଜନରେ ଥିବା ୪୨୮୩୪ ତୋଳାଳୀଙ୍କ ମଧ୍ୟରୁ ୩୭୨୦୪ ବର୍ତ୍ତମାନ ଯାଏଁ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଅନ୍ୟ ୫୬୩୦ ଜଣଙ୍କୁ ଏହି ଯୋଜନାର ଅନ୍ତର୍ଭୂକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଇଛି । ସେହିପରି ତୋଳାଳୀ, କର୍ମଚାରୀଙ୍କୁ ମୃତ୍ୟୁ ସହାୟତା ପ୍ରଦାନ ବିଷୟରେ ଆଲୋଚନା ହୋଇଥିଲା । ମୃତ୍ୟୁ ସହାୟତା ଗତ ବର୍ଷ ପର୍ଯ୍ୟନ୍ତ ଏକ ଲକ୍ଷ ଟଙ୍କା ଥିବା ବେଳେ ଚଳିତ ବର୍ଷରୁ ଏହାକୁ ବୃଦ୍ଧି କରାଯାଇ ଦୁଇ ଲକ୍ଷ୍ୟ ଟଙ୍କା କରାଯାଇଛି । ଇତି ମଧ୍ୟରେ ୫୭୩ ଜଣ ତୋଳାଳୀଙ୍କୁ ମୃତ୍ୟୁ ସହାୟତା ଦିଆଯାଇଛି । ସାମାଜିକ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ଦୁଇ ହଜାର କେରିପତ୍ର ମାପଦଣ୍ଡକୁ କୋହଳ କରି ହଜାରେ କେରି ମାପଦଣ୍ଡ ରଖାଯାଇଛି । ଚଳିତ ବିଧାନସଭା ବଜେଟ ଅଧିବେଶନରେ ୫୦କୋଟି ଟଙ୍କା ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉନ୍ନୟନ ପାଣ୍ଠିକୁ ପ୍ରଦାନ ଘୋଷଣା ସହ ଗତ ନଭେମ୍ବର ମାସରେ ଓଡ଼ିଶାର ଆଠ ଲକ୍ଷ ତୋଳାଳୀଙ୍କୁ ୧୦୦୦ ଟଙ୍କା ଏବଂ ୧୮ହଜାର ସିଜିନାଲ୍ କର୍ମଚାରୀଙ୍କୁ ୧୫୦୦ ଟଙ୍କା ପ୍ରଦାନକୁ ତୋଳାଳୀ କର୍ମଚାରୀ ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ସ୍ବାଗତ କରାଯାଇଛି । ଜାଲ ସାର୍ଟିଫିକେଟ ଚେର ଟିଟିଲାଗଡ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଦେଗାଁ ରେଞ୍ଜର ସିଜିନାଲ କର୍ମଚାରୀଙ୍କ ପକ୍ଷରୁ ଛବିଳ ମୋହନ ସିଂ ଚିନ୍ଦା, ଅନନ୍ତ ମେହେର, ଇନ୍ଦ୍ରଜିତ ସାହୁ, ସମ୍ବାରୁ ପ୍ରଧାନ ପ୍ରମୁଖ ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗ କରିବା ପରେ ଏହାର ତଦନ୍ତ ପାଇଁ ଉପଦେଷ୍ଟା ନିର୍ଦ୍ଦେଶ ଦେଇଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଶିବା ନନ୍ଦ ପରିଚ୍ଛା, ଡିଭିଜନ ସମ୍ପାଦକ ରାଜ କୁମାର ବିଶି, ରସୁଲ ଖାଁ, ଦୀଙ୍ଗର ଠାକୁର, ସନ୍ତୋଷ ଦାସ, ଛାତ୍ର ନେତା ଦେବଜ୍ୟୋତି ପଟ୍ଟନାୟକ, ଆକାଶ ଦେବତା, ପଦ୍ମା ମହାନନ୍ଦ, ଭୂମି ସୀତା ବାଗ, ମଧୁ ବିଶି, ବିବେକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.