jayashree

ସାମ୍ବିଧାନିକ ହକ୍‌ ନେଇ ଓବିସି ମଂଚର ଗଣଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଛାଡ ଆନ୍ଦୋଳନ ଦିବସ ଉପଲକ୍ଷେ ଓଡିଶା ଓବିସି ମଂଚ ଡାକରାରେ ଆଜି ଜିଲ୍ଲା ଓବିସି ମଂଚ ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଓବିସି ମଂଚର ସାମ୍ବିଧାନିକ ହକ୍‌ ନେଇ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମଂଚର ଉପସଭାପତି କିଶୋର ଚନ୍ଦ୍ର ସାଏଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସ୍ଥାନୀୟ ଜିଲ୍ଲା ଯାଦବ ଭବନଠାରୁ ବାହାରି ଲିଲ୍ଲାପାଳ ବଲାଙ୍ଗିରଙ୍କ ଅଫିସ ସାମନାରେ ପହଂଚିଥିଲା ଓ ସେଠାରେ ଧାରଣା ଦିଆଯାଇଥିଲା । ଓଡିଶାରେ ଓବିସିଙ୍କୁ ରାଜ୍ୟ ସରକାର ଶିକ୍ଷା (ଉଚ୍ଚଶିକ୍ଷା, ମେଡିକାଲ, ଇଂଜିନିୟରିଂ), ଚାକିରି ତଥା ରାଜନୀତିରେ ୦% ସଂରକ୍ଷଣ ଦିଆଯାଉଛି । ଓବିସି ମଂଚର ଅଭିଯୋଗ ଯେ, ରାଜ୍ୟରେ ମଣ୍ଡଳ କମିଶନ ସୁପାରିଶ ୧୯୯୪ରୁ ଲାଗୁ ହେଲା ପରେ ବି ଏଯାବତ ୨୯ ବର୍ଷ ବିତି ଯାଇଥିଲେ ହେଁ ଓଡିଶା ରାଜ୍ୟ ସରକାର ଓବିସିଙ୍କୁ ଭୂଆଁ ବୁଲେଇ କୌଣସି ସଂରକ୍ଷଣ ଦେଉ ନାହାନ୍ତି । ସରକାର ଏସ୍‌ଟି, ଏସ୍‌ସିଙ୍କୁ ଚାକିରୀରେ ୩୮.୭୫% ଓ ଶିକ୍ଷାରେ ୨୦%, ପ୍ରାୟ ୩% ଜେନେରାଲ ବର୍ଗଙ୍କୁ ଇଡବ୍ଲୁଏସ୍‌ କୋଟାରେ ଶିକ୍ଷା ଓ ଚାକିରିରେ ୧୦%, ପ୍ରାୟ ୪% ଅଣଓବିସି ଏସ୍‌ଇବିସିଙ୍କ ହିତ ପାଇଁ ୧୧.୨୫% ସଂରକ୍ଷଣ ଦେଉଥିବା ବେଳେ, ରାଜ୍ୟର ଅର୍ଦ୍ଧାଧିକ ସଂଖ୍ୟାବିଶିଷ୍ଟ ଓବିସିଙ୍କ ଆରକ୍ଷଣକୁ ବାତିଲ କରିଛନ୍ତି ।

ଅଧୂନା ରାଜ୍ୟ ସରକାର ଓବିସିଙ୍କୁ ଭାଗ ଭାଗ କରି ଜାତି ମୁରବୀମାନଙ୍କୁ ଡାକି ମନ୍ଦିର ପାଇଁ, ଆଖଡା ଘର ପାଇଁ ଅଧ କୋଟି, କୋଟିଏ ଟଙ୍କାର ଲଲିପପ୍‌ ଦେଇ ଓବିସି ବର୍ଗର ଛାତ୍ରଙ୍କୁ ଶିକ୍ଷାରୁ, ଯୁବଗୋଷ୍ଠୀଙ୍କୁ ଚାକିରିରୁ ତଥା ସାମାଜର ସଚେତନ ବ୍ୟକ୍ତିଙ୍କୁ ରାଜନୀତିରୁ ଦୂରେଇ ରଖିବାର ବିରାଟ ଷଡଯନ୍ତ୍ର କରୁଛନ୍ତି ଓ ଓବିସି ବର୍ଗର ଆଗାମୀ ବଂଶଧରଙ୍କୁ ଗୁଲାମ କରି ରଖିବାର ଯୋଜନା କରୁଛନ୍ତି । ଏହା ନୀରିହ, ଗରିବ, ଅପାଠୁଆ ଓବିସିମାନେ ତଥା ଜାତି ମୁରବୀମାନେ ବୁଝିବା ଆରମ୍ଭ କଲେଣି ।

ତେଣୁ ସମ୍ବିଧାନର ଧାରା ୧୫(୪), ୧୬(୪) ଓ ୨୪୩(ଡି୬),(ଟି୬) ଅନୁସାରେ ଶିକ୍ଷାରେ, ଚାକିରିରେ ଓ ପଂଚାୟତିରାଜ ତଥା ସିଭିଲ ବୋଡି ନିର୍ବାଚନରେ ସମାନୁପାତିକ ନ ହେଲେ ବି ଅନ୍ୟୁନ ୨୭% ଆରକ୍ଷଣ ଏସ୍‌ଇବିସିଙ୍କ ଠାରୁ ଅଲଗ କରି ଓବିସିଙ୍କୁ ଦିଆଯାଉ । ଯେଉଁ ରାଜନୈତିକ ଦଳ ଓବିସିଙ୍କୁ ସଂରକ୍ଷଣ ଦେବେ ସେ ଗାଦିରେ ରହିବେ । ଅଧୂନା ବିଜେଡି ସରକାର ଓବିସିଙ୍କୁ ଅଲଗ ସଂରକ୍ଷଣ ଦିଅନ୍ତୁ ନ ହେଲେ ଗାଦୀ ଛାଡନ୍ତୁ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଥିଲା ।

ଏହି ଧାରଣା ସଭାରେ ଜିଲ୍ଲା ଓବିସି ମଂଚର ସମ୍ପାଦକ ପ୍ରଦେଶୀ ବିଶ୍ୱାଳ, ଜିଲ୍ଲା ସଂଯୋଜକ ସରୋଜ କୁମାର ମେଶ୍ୱା, ଜିଲ୍ଲା ଗୁମାଲ ସମାଜ ସଂପାଦକ ମଲିଆ ଗଡୁଆ, ଯାଦବ ସମାଜ ସଭାପତି ପଙ୍କଜ ସେଲମା, ଯାଦବ ସମାଜ ସଂପାଦକ ଡମନ ବଗର୍ତ୍ତି, ଜିଲ୍ଲା ଭୁଲିଆ ସମାଜ ସଂପାଦକ ବାସୁଦେବ ମେହେର, ପୂର୍ଣଚନ୍ଦ୍ର ବିଶ୍ୱାଳ, ପାଣ୍ଡବ ପଧାନ, ସୁରେଶ କମ୍ପ, ଲୋକନାଥ ପାତ୍ର, କୃଷକ ନେତା ରାଧାକୃଷ୍ଣ ମେହେର, ତୀର୍ଥବାସୀ ଡାଙ୍ଗ, ଆନନ୍ଦ ପଧାନ, ବାଦଲ ମହାକୁର, ଦୂର୍ଗା ପ୍ରସାଦ ଛୁରିଆ, ମଞ୍ଜରୀ ପଟେଲ, ସରସ୍ୱତୀ ସାହୁ, ସୁବାସିନୀ ସାହୁ ଓ ଅନ୍ୟମାନେ ଯୋଗଦେଇ ଥିଲେ ।

Leave A Reply

Your email address will not be published.