୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା : ଫାଇନାଲରେ ରବିବାର ଦିନ କୁଚିଣ୍ଡା ଓ ସାଇଟ୍‌ ସଦାଇପାଲି ମୁକାବିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମଜୀ ଯୁବକ ସଂଘ ଆନୁକୁଲ୍ୟରେ ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମଠାରେ ଆଜି ୫୬ତମ ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି-ଫାଇନାଲ ଖେଳ କୁଚିଣ୍ଡା ବିଏଫ୍‌ସି ଓ ପଶ୍ଚିମବଙ୍ଗ ହୁଗୁଲୀ ମାଣିକ ଫୁଟବଲ କୋଚିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କୁଚିଣ୍ଡା ବିଏଫ୍‌ସି ଦଳ ୨-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛନ୍ତି । ଫାଇନାଲ ଖେଳ ସଦାଇପାଲି ସାଇଟ୍‌ ବନାମ୍‌ କୁଚିଣ୍ଡା ମଧ୍ୟରେ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ । କୁଚିଣ୍ଡା ଦଳ ଗୋଟିଏ ଗୋଲରେ ଅଗ୍ରଣୀ ଥିଲେ ମଧ୍ୟ ପଶ୍ଚିମବଙ୍ଗ ଦଳ ଘନଘନ ଆକ୍ରମଣ କରୁଥିଲେ । ଖେଳଟି ସଂଘର୍ଷ ପୂର୍ଣ୍ଣ ଥିଲା । ଶେଷ ମୁହୁର୍ତ୍ତରେ ଆଉ ଗୋଟିଏ ଗୋଲ ଦେଇ କୁଚିଣ୍ଡା ବିଜୟ ଲାଭ କରିଥିଲା । ମୁଖ୍ୟଅତିଥି ଭାବରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ ଯୋଗଦାନ କରିଥିଲେ । ରାମଜୀ ଯୁବକ ସଂଘର କୋଷାଧକ୍ଷ ନନ୍ଦଲାଲ ସାଏ ଓ ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ମଂଚାସୀନ ଥାଇ ସଭା ପରିଚାଳନା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ରଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବର୍ତ୍ତମାନର କମିଟି ଗତ କିଛି ବର୍ଷ ହେଲା ଅଲ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ତାଙ୍କ ପରମର୍ଶରେ କରିଆସୁଛନ୍ତି । ଫଳରେ ବଲାଙ୍ଗିର ଜିଲ୍ଲାରେ ଫୁଟବଲ ଖେଳର ଉଜ୍ଜଳ ଭବିଷ୍ୟତ ଦେଖାଯାଉଛି ବୋଲି ଅତିଥିବୃନ୍ଦ କହିଥିଲେ । ଆସନ୍ତାକାଲି ଶନିବାର ଭାଲେର ହାଇସ୍କୁଲ ଓ ବିଲେଇସର୍ଡା ହାଇସ୍କୁଲ ତଥା ସଦାଇପାଲି ରୁରାଲ ଷ୍ଟାର ବନାମ୍‌ ବଲାଙ୍ଗିର ସାମ୍ବାଦିକ ସଂଘ ମଧ୍ୟରେ ପ୍ରଦର୍ଶନୀ ଖେଳ ହେବ ବୋଲି ଆୟୋଜକଙ୍କଠାରୁ ପ୍ରକାଶ । ଆଜିର ଖେଳକୁ ରେଫ୍‌ରୀ ନିଲ ନାଏକ, ସୁଧାଂଶୁ ସେଠ, ସଂଜିବ କୁମାର ମହାରଣା ଓ ସୁବ୍ରତ କୁମାର ପୁରୋହିତ ପରିଚାଳନା କରିଥିଲେ । ସୁନୀଲ ଚନ୍ଦ୍ର ବିଶ୍ୱାଳ ମ୍ୟାଚ୍‌ କମିଶନରର ଦାୟିତ୍ୱ ବହନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ପ୍ରମୋଦ କୁମାର ମିଶ୍ର, ଗରୁଡଧ୍ୱଜ ସାଏ, ବୃନ୍ଦାବନ ମହାକୁର, ଇଂ. ସନ୍ତୋଷ କୁମାର ବହ୍ମା, ଆଦିତ୍ୟ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ର, ରାମଦାସ ଭୋଇ, ଜିତେନ୍ଦ୍ର ମିଶ୍ର, ସଂଗ୍ରାମ ତ୍ରିପାଠୀ, ହରେରାମ ପୁଟେଲ, ଆଶିଷ ମିଶ୍ର, ଜଗନ୍ନାଥ ବେହେରା, ଲୋକନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.