ଚାନ୍ଦୋତରା ଗ୍ରାମ ବିଦ୍ୟାଳୟକୁ ଚୋରମରା ଗ୍ରାମ ବିଦ୍ୟାଳୟ ସହ ମିଶାଇ ଦିଆଯିବା ସରକାରଙ୍କ ନିଷ୍ପତ୍ତିକୁ ପୁନର୍ବିଚାର ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଶିକ୍ଷକମାନଙ୍କ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଯେ, ଯେଉଁ ବିଦ୍ୟାଳୟ ଗୁଡିକରେ କୋଡ଼ିଏରୁ କମ ଛାତ୍ରଛାତ୍ରୀ ଅଛନ୍ତି ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ନିକଟବର୍ତ୍ତୀ ବିଦ୍ୟାଳୟ ସହ ଜଡ଼ିତ କରି ଦିଆଯିବା । କିନ୍ତୁ ସରକାର କିଛି ଅଞ୍ଚଳର ସୁବିଧା ଅସୁବିଧାକୁ ନ ବୁଝି, ନ ଜାଣି ଏହିପରି ନିଷ୍ପତ୍ତି କିଛି ଛାତ୍ରଛାତ୍ରୀ ସେହି ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇଛି । ସେହି ପରି ଏକ ଘଟଣା ଘଟିଛି ଟିଟିଲାଗଡ ବ୍ଲକର ଚାନ୍ଦୋତରା ଗ୍ରାମରେ । ୧୯୭୪ ମସିହାରୁ ତିଆରି ହୋଇଥିବା ଚାନ୍ଦୋତରା ଗ୍ରାମ ବିଦ୍ୟାଳୟରେ ଗ୍ରାମର ସବୁ ଛାତ୍ରଛାତ୍ରୀ ନିର୍ଭର କରନ୍ତି, କିନ୍ତୁ ଏହି ବିଦ୍ୟାଳୟ ବନ୍ଦ ହେଲେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ବାଧାପ୍ରାପ୍ତ ହେବା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହି ବିଦ୍ୟାଳୟରେ କୋଡ଼ିଏଟି ଛୁଆ ଅଛନ୍ତି । ତେଣୁ ରାଜ୍ୟ ସରକାର ସେହି ବିଦ୍ୟାଳୟକୁ ଚାନ୍ଦୋତରା ଗ୍ରାମରୁ ପ୍ରାୟ ଚାରି କିମି ଦୂର ଚୋରମରା ଗ୍ରାମ ସହ ମିଶାଇ ଦେବାକୁ ନିଷ୍ପତି ନେଇଥିବା ଗ୍ରାମବାସୀ କହିଛନ୍ତି । କିନ୍ତୁ ଚାନ୍ଦୋତରା ଗ୍ରାମଟି କୋଡ଼ିଏ କିଲୋମିଟର ପରିବ୍ୟାପ୍ତ ବର୍ଣେଇ ସଂରକ୍ଷଣ ଜଙ୍ଗଲ ପାହାଡ ତଳେ ଥିବାରୁ ସେହି ଗାଁରୁ ଚୋରମରା ଗାଁ ଯିବା ରାସ୍ତାରେ ଘଞ୍ଚ ଜଙ୍ଗଲ ରାସ୍ତା ପଡେ । ସେହି ରାସ୍ତା ଦେଇ ଚିତାବାଘ, ଭାଲୁ ପରି ଅନେକ ହିଂସ୍ର ଜୀବଜନ୍ତୁ ଯିବା ଆସିବା କରିବା ଗ୍ରାମବାସୀ ଦେଖିଛନ୍ତି । ତେଣୁ ଦିନବେଳା ବଡ଼ ଲୋକମାନେ ଯିବା ଆସିବା କରିବା ପାଇଁ ଭୟ କରୁଥିବା ବେଳେ ଛୋଟ ଛୋଟ ଛୁଆକୁ ଏହି ରାସ୍ତା ଦେଇ କିପରି ବିଦ୍ୟାଳୟକୁ ପଠେଇ ପାରିବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚାନ୍ଦୋତରା ଗ୍ରାମବାସୀ ଟିଟିଲାଗଡ ସମାଜସେବୀ କୁନା ଭାଟିଙ୍କ ତତ୍ତ୍ଵାବଧାନରେ ବହୁ ସମୟ ଧରି ଅପେକ୍ଷା କଲାପରେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ଓ ସରକାରଙ୍କୁ ଏଥିପ୍ରତି ଦୃଷ୍ଟି ଦେଇ ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କୁନା ଭାଟି କହିଛନ୍ତି । ଉପ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ନିଜେ ଗାଁକୁ ଯାଇ ଅନୁଧ୍ୟାନ କରିବା ଶୁଣି ଗ୍ରାମବାସୀଙ୍କ ମନରେ ଉତ୍କଣ୍ଠା ସହ ବିଦ୍ୟାଳୟ ଖୋଲିବା ଆଶା ରହିଛି ।

Leave A Reply

Your email address will not be published.