ବଲାଙ୍ଗିର, (କେପିଏନ୍ଏସ୍) : ଗତ ବିଳମ୍ବିତ ରାତିରେ ସ୍ଥାନୀୟ ତୁଳସୀନଗରପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣଙ୍କର ଘର ଭିତରକୁ ଚୋର ପଶିଥିବା ବେଳେ ଲୋକେ ଚୋରକୁ କାବୁ କରି ନିର୍ଧୁମ ଛେଚିବା ପରେ ପୋଲିସକୁ ଜିମା ଦେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିରାଜ କେଶରୀ ପ୍ରଧାନଙ୍କ ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ ଶିକ୍ଷକ ଜଣକ ଏବଂ ଦେଖିଥିଲେ ଯେ ଘରର ତାଲା ଭଂଗା ଯାଇଛି । ଏଭଳି ଅବସ୍ଥା ଦେଖିବା ପରେ ଶିକ୍ଷକ ଶ୍ରୀ ପ୍ରଧାନ ଆଖପାଖ ଲୋକଙ୍କୁ ଡାକିଥିଲେ । ତେବେ ଘର ଭିତରେ ଚୋର ପଶିଥିବା ବେଳେ ସ୍ଥାନୀୟ ଲୋକେ ସଂପୃକ୍ତ ଘରକୁ ଘେରାବନ୍ଦି କରି ଦେଇଥିଲେ । ଏହା ପରେ ବ୍ୟତିବ୍ୟସ୍ତ ହୋଇ ଚୋର ଜଣକ ରୋଷେଇ ଘରେ ନିଆଁ ଲଗାଇ ଦେଇଥିଲା । ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତଥା ପୋଲିସ ଆସି ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ଚୋର ଏଭଳି ପ୍ରଚଣ୍ଡ ଶୀତରେ ମଧ୍ୟ ଘର ଭିତରେ ଥିବା ପାଣି ଟାଙ୍କି ଭିତରକୁ ପଶି ଯାଇଥିବା ବେଳେ ପାଣି ଟାଙ୍କି ଭିତରୁ ତାକୁ ଉଦ୍ଧାର କରାଯାଇଥିଲା । ଚୋରକୁ ଲୋକେ ନିର୍ଧୁମ୍ ଚେଚିବାଥିବା ଜଣାପଡ଼ିଛି । ଚୋରକୁ ପୋଲିସ ଗିରଫ୍ କରି ଟାଉନ୍ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ଚୋର ଜଣକ ସଠିକ୍ ପରିଚୟ ଜଣା ପଡ଼ିନଥିବା ବେଳେ ସେ ସ୍ଥାନୀୟ ମାଲପଡ଼ାର ବୋଲି କୁହାଯାଉଛି ।