ହଳଦୀ ବଜାର ଛକ ବଣିକ ସଂଘ ପକ୍ଷରୁ ଲୁଟେରାଙ୍କୁ ଶୀଘ୍ର ଗିରଫ ଦାବୀରେ ଦୋକାନ ବଜାର ବନ୍ଦ ସହ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
- ଗ୍ରାହକ ସେବାକେନ୍ଦ୍ର ଭାଇଭଉଣୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ ଘଟଣା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ବଜାର ଛକରେ ଏସ୍ବିଆଇ ଗ୍ରାହକ ସେବାକେନ୍ଦ୍ର ଦେଇଥିବା ପଟାମରା ଗ୍ରାମର ଲଳିତ ଗହୀର ଓ ତାଙ୍କ ଭଉଣୀଙ୍କୁ ଗତ ଶୁକ୍ରବାର ଦିନ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରି ୭ ଲକ୍ଷ ୩୦ହଜାର ଟଙ୍କା ସହ ବିଭିନ୍ନ ସାମଗ୍ରୀ ଲୁଟି ନେଇଥିଲେ । ଏହି ଘଟଣାରେ ସଂପୃକ୍ତ ଦୁର୍ବୃତ୍ତମାନଙ୍କୁ ପୁଲିସ ଶୀଘ୍ର ଗିରଫ କରିବା ସହ ସମସ୍ତ ଲୁଟ୍ ଟଙ୍କା ଉଦ୍ଧାର କରିବା ଦାବୀରେ ହଳଦୀ ବଜାର ଛକ ବଣିକ ସଂଘ ପକ୍ଷରୁ ଛକର ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବଣିକ ସଂଘର ଦାବିପତ୍ର ମୁତାବକ ଲୁଟର ଶିକାର ଲଳିତ ଗହୀର ଓ ତାଙ୍କ ଭଉଣୀଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଏହି ଘଟଣାରେ ସଂପୃକ୍ତ ସମସ୍ତ ଲୁଟେରାଙ୍କୁ ଅତିଶୀଘ୍ର ଗିରଫ ଓ ସମସ୍ତ ଲୁଟ୍ ଟଙ୍କା ଉଦ୍ଧାର କରିବା ଦାବି ରହିଛି । ଲଳିତ ହଳଦୀ ବଜାର ଛକରେ ଗ୍ରାହକ ସେବାକେନ୍ଦ୍ର ଦେଇ ଆଖପାଖ ଅଞ୍ଚଳର ବହୁ ଗରିବ, ନିରୀହ ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ । ଲୁଟ୍ ପରେ ଗ୍ରାହକ ସେବାକେନ୍ଦ୍ର ବନ୍ଦ ଥିବାରୁ ଶହଶହ ଲୋକ ହଇରାଣ ହେଉଛନ୍ତି । ଏଣୁ ପୁଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବଣିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଦାବିପତ୍ର ଗ୍ରହଣ କରି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ଲୁଟ୍ ଘଟଣାର ତଦନ୍ତ ଜାରି ରହିଛି ଅତିଶୀଘ୍ର ସମସ୍ତ ଲୁଟେରାଙ୍କୁ ଗିରଫ ଓ ଲୁଟ୍ ଟଙ୍କା ଉଦ୍ଧାର କରାଯିବ ବୋଲି ବଣିକ ସଂଘକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଦାବିପତ୍ର ପ୍ରଦାନ ବେଳେ ଲୁଟ୍ର ଶିକାର ଲଳିତ ଗହୀର, ଭଉଣୀ ହିମାନୀ ଗହୀର, ତାଙ୍କ ପରିବାରର ସମସ୍ତ ସଦସ୍ୟ, ପଟାମରା ୱାର୍ଡ ସଭ୍ୟ ଯୋଗଧ୍ୟାନ ହଂସ, ହଳଦୀ ବଣିକ ସଂଘର ଶେଷଦେବ ପୁଟେଲ, କାହ୍ନା କୁମ୍ଭାର, ପୀତାମ୍ବର ହାତୀ, ନୃପରାଜ ଜାନୀ, ଟୁନୁ ବଗର୍ତ୍ତି, ହିମାଂଶୁ ଶେଖର ମହାନନ୍ଦ, ହଳଧର ମାହାକୁର, ଅଲେଖ ପଶାୟତ, ଟୁନା ବାଗ, ନରୋତ୍ତମ ବାଗ, ପ୍ରଦୀପ ସେଠ, ହର୍ଷ ବାଗ, ଜଗନ କୁମାର ମଲ୍ଲିକ, ଅନୀଲ କୁମାର ହାତୀ,ପ୍ରଶାନ୍ତ ଭୁକ୍ତା, ଟଙ୍କଧର ହଂସ, ବ୍ରଜମୋହନ ବନଛୋର ଓ ପ୍ରମୋଦ ପଶାୟତଙ୍କ ସହ ଶତାଧିକ ବଣିକ ସଂଘର ସଦସ୍ୟ ଛକର ସମସ୍ତ ଦୋକାନ ବଜାର ବନ୍ଦ କରି ପ୍ରତିବାଦ ସହ ଥାନାରେ ଦାବିପତ୍ର ଦେଇଥିଲେ ।