ନିର୍ମାଣ ଶ୍ରମିକମାନଙ୍କୁ ‘ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା’ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ “ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା” ପ୍ରଦାନ କରିଛନ୍ତି । ରାଜ୍ୟର ପ୍ରାୟ ୨୬ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୩୮୫କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏଁ ପାଇଛନ୍ତି । ଗତ ବର୍ଷ ମଧ୍ୟ କୋଭିଡର ୧ମ ଲହର ସମୟରେ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ସମୟରେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧାକୁ ହ୍ରାସ କରିବାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରମିକଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ । ନିର୍ମାଣ ଶ୍ରମିକମାନଙ୍କୁ ଜଣେ ଜଣେ ବିଶ୍ୱକର୍ମା ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନ୍ୟର ସୁବିଧା ପାଇଁ ସେମାନେ ନିଜ ସୁଖକୁ ଭୁଲିଯାନ୍ତି । ଖରାକୁ ପିଠି ଦେଖାଇ ବଡ ବଡ କୋଠା ତିଆରି କରନ୍ତି । ନିଜେ ଜଳି ଅନ୍ୟକୁ ଆଲୋକ ଦେଖାନ୍ତି । ନିଜେ ଅସୁବିଧାରେ ରହି ଅନ୍ୟ ପାଇଁ ଭଲ ଘର, ରାସ୍ତା, ସେତୁ ଆଦି କରନ୍ତି ।ବିକାଶର ପ୍ରତିଟି ପୃଷ୍ଠାରେ ରହିଛି ଆମର ନିର୍ମାଣ ଶ୍ରମିକ ମାନଙ୍କର ତ୍ୟାଗ ଓ ପରିଶ୍ରମର କାହାଣୀ । ଗରିବ ଲୋକର ତ୍ୟାଗକୁ ସମ୍ମାନ ଦ୍ୱାରା ହିଁ ଆମେ ବିକାଶ ସହ ସମସ୍ତଙ୍କ ଯୋଡି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ସହାୟତା ପାଇଥିବାରୁ ନିର୍ମାଣ ଶ୍ରମିକମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.