ବନ ବିଭାଗ ଦ୍ୱାରା ଜଙ୍ଗଲରୁ ଧରାହେଲା ଚୋରା ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଓ ବଲହା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ବଘିଆପଡା ଫରେଷ୍ଟ ସେକ୍ସନର ଜାମୁଖୋଲ୍ ଗ୍ରାମ ନିକଟସ୍ଥ ଭୂଇଁ ଛକ ନିକଟରେ ବନ ବିଭାଗ ବଲହା ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ସମେତ ୬୦ଖଣ୍ଡ ବଲହା ଜବତ୍ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବନ ବିଭାଗର କର୍ମଚାରୀ ମାନେ ରାତ୍ରି ପେଟ୍ରୋଲିଂ କରୁଥିବା ବେଳେ ଜାମୁଖୋଲ୍ ଗ୍ରାମ ନିକଟରେ ଗୋଟିଏ ଟ୍ରାକ୍ଟର ଏ ପି ୩୯ ଇଏମ ୫୪୪୪ ଦ୍ୱାରା ବଲହା ଚୋରା ଚାଲାଣ ହେଉଥିବା ଦେଖିବାକୁ ପାଇ ସେଥିରେ ୬୦ ଖଣ୍ଡ ଶାଳ ଓ ଅନ୍ୟାନ୍ୟ ବଲହାକୁ ଜବତ୍ କରିଥିଲେ । ତେବେ ଅନ୍ଧାରର ସୁଯୋଗ ନେଇ ଚଢାଉ ସମୟରେ ଟ୍ରାକ୍ଟର ଡ୍ରାଇଭର ଗାଡି ଛାଡି ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ବନ ବିଭାଗ କାଠ ଓ ଟ୍ରାକ୍ଟରକୁ ଜବତ୍ କରି ତଦନ୍ତ ଚଳାଇଥିବା ଜଣାପଡିଛି । ଆନ୍ଧ୍ର ପ୍ରଦେଶ ଟ୍ରାକ୍ଟର ନମ୍ବର୍ ଥିବାରୁ ପଡୋଶୀ ରାଜ୍ୟରୁ ଆସି ବଘିଆପଡା ଅଂଚଳରେ କପା ଚାଷ କରୁଥିବା କୌଣସି ବ୍ୟକ୍ତିଙ୍କ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଚଢାଉରେ ଫରେଷ୍ଟ ଗାର୍ଡ ରାମଚନ୍ଦ୍ର ଦଳବେହେରା, ଶରତ ନାଏକ, ରମାକାନ୍ତ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.