ଫେରସ୍ତ ପାଇଁ ଚାଷୀ ଏବେ କେଉଁଠୁ ପାଇବେ ଟଙ୍କା : ଚାଷୀ ନେତା ଡା. ପରିଚ୍ଛା

ବଲାଙ୍ଗିର, (ନିପ୍ର) : ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ପାଇଁ ଚିହ୍ନଟ ତାଲିକା ପ୍ରକାଶ ପରେ ଏବେ ଚାଷୀମାନେ ଚିନ୍ତାରେ ପଡ଼ିଥିବା ବେଳେ ଚାଷବାସର ସମୟରେ ଫେରସ୍ତ ପାଇଁ ଚାଷୀ ଏବେ କେଉଁଠୁ ପାଇବେ ଟଙ୍କା ବୋଲି ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ସଭାପତି ଡା. ସୁଧୀର ପରିଚ୍ଛା କହିଛନ୍ତି । ସୂଚନାଯୋଗ୍ୟ ଯେ, ସରକାରଙ୍କ କାଳିଆ ଟଙ୍କା ଫେରସ୍ତ ପ୍ରକି୍ରୟା ଆରମ୍ଭ ହେବା ପରେ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏ ଘଟଣାକୁ ନେଇ ସରକାରଙ୍କୁ ତୀବ୍ର ଆକ୍ଷେପ କରୁଛନ୍ତି ଚାଷୀନେତା ସମୂହ । ଆଇନର ଆଳରେ ନିରୀହ ଚାଷୀମାନଙ୍କଠାରୁ ସରକାର ଟଙ୍କା ଆଦାୟ କରିବାକୁ ମସୁଧା କରୁଥିବା ସେମାନେ ଆକ୍ଷେପ ଆଣୁଛନ୍ତି । ତେବେ ଏ ବିଷୟରେ ମତ ଦେଇ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ସଭାପତି ଡା. ପରିଚ୍ଛା କରିଛନ୍ତି, ୨୦୧୯ରେ ନିର୍ବାଚନ ପୂର୍ବରୁ ଚାଷୀମାନଙ୍କୁ ସହଯୋଗର ହାତ ବଢେ଼ଇବା କଥା କହି ସରକାର କାଳିଆ ଟଙ୍କା ପ୍ରଦାନ କରିଥିଲେ । ସେହି ଯୋଜନାରେ କେତେ ଚାଷୀ ପାଇଲେ, ଆହୁରି ଅନେକ ବାକି ରହିଗଲେ ମଧ୍ୟ । ତେବେ ଟଙ୍କା ଦିଆଯିବାର ଗୋଟିଏ ବର୍ଷ ପରେ ସରକାର ଟଙ୍କା ଫେରସ୍ତ ନେବା ପାଇଁ କରିଥିବା ଯୋଜନା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ସେ କଠୋର ଭାବେ ପ୍ରକାଶ କରିଛନ୍ତି ଯେ, ଚାଷୀମାନଙ୍କୁ ଲୁଟ୍ କରିବା ସରକାର ବନ୍ଦ କରନ୍ତୁ । ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀମାନଙ୍କୁ କୁଶଳୀ ଶ୍ରମିକର ମାନ୍ୟତା ଦେଇ ପାରିନଥିବା ବେଳେ ଚାଷୀମାନଙ୍କ ସ୍ୱାର୍ଥ ପ୍ରତି ସାମାନ୍ୟ ମଧ୍ୟ ସଚେତନ ନୁହନ୍ତି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ କାଳିଆ ଯୋଜନା ମାଧ୍ୟମରେ ଭୁଆଁ ବୁଲାଇଥିଲେ ବୋଲି ଡା. ପରିଚ୍ଛା ମତ ଦେଇଛନ୍ତି । ସାରା ରାଜ୍ୟରେ ୫୧ ହଜାର ଅଯୋଗ୍ୟ ଚାଷୀ ରହିଥିବା ସରକାର କହୁଥିବା ବେଳେ ଯେଉଁ ସରକାରୀ କର୍ମଚାରୀମାନେ କାଳିଆ ଟଙ୍କା ପ୍ରଦାନ ବେଳେ ଚାଷୀମାନଙ୍କ ଲିଷ୍ଟ୍ ପ୍ରସ୍ତୁତ କରିଥିଲେ ସେମାନଙ୍କଠାରୁ ଏହି ଟଙ୍କା ଆଦାୟ କରାଯାଉ ବୋଲି ସେ କହିଛନ୍ତି । ଏହି ଘଟଣାରେ ଦାୟୀ କିଏ ବୋଲି ପଚରାଯିବାରୁ ସେ କହିଛନ୍ତି ଯେ, ପ୍ରଥମେ ସଚିବମାନେ ହିଁ ଦାୟୀ । ସେମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଚାଷୀମାନେ ବର୍ତ୍ତମାନ ସୁଦ୍ଧା ବୀମା ଟଙ୍କା ପାଇ ନଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଏ କ୍ଷେତ୍ରରେ ବିଫଳତା ଭରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ଏ ଜିଲ୍ଲାରେ ଚାଷୀ ପ୍ରତ୍ୟହ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛି । ତାର ଦୁଃଖ ଲାଘବ କରିବା ଛାଡ଼ି ସରକାର ଏବେ ପୁଣି ଦାଉ ସାଧିବାକୁ ଆଗଭର ହେଉଛନ୍ତି । ଜିଲ୍ଲାପାଳ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.