କପିଳଧାର ପ୍ରପାତରେ ଅସାବଧାନତା କାରଣରୁ ଚାଲିଗଲା ଦୁଇ ଜୀବନ

ବରଗଡ଼, (ଗୋପୀନାଥ ସାହୁ) : ଘନଶ୍ୟାମ ମହାକୁଡ଼ ନାମକ ଜଣେ ଯୁବକ ପାଇକମାଲ ଥାନାକୁ ଆସି ଖବର ଦେଇଥିଲା ଯେ, ତାର ଦୁଇ ଜଣ ସାଙ୍ଗ ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତ କପିଳଧାରରୁ ତଳକୁ ପଡି ଯାଇଛନ୍ତି । ଖବର ପାଇବା ପରେ ପାଇକମାଲଡିଏସ୍‌ପି ଦିନେଶ ନାୟକ, ଥାନା ଅଧିକାରୀ ବିଶ୍ୱଜିତ ମନବୋଧ, ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କର ସହିତ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଘଟଣା ସ୍ଥଳକୁ ପହଂଚିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ମୃତ ଯୁବକ ଦ୍ବୟ କପିଳଧାରରୁ ପ୍ରାୟ ଅଢେଇ ଶହରୁ ୩ଶହ ଫୁଟ ତଳକୁ ଖସି ପଡ଼ିଥିଲେ । ଉକ୍ତ ସ୍ଥାନକୁ ପହଂଛିବା ମଧ୍ୟ ଅନେକ କଷ୍ଟକର । ପ୍ରଚୁର ବର୍ଷା ଭିତରେ ଅଗ୍ନିଶମ ବିଭାଗର କର୍ମଚାରୀ, ପୋଲିସ ଓ ସ୍ବେଚ୍ଛାସେବୀ ଆକାଶ ପାଣିଗ୍ରାହୀ ଓ ପ୍ରଶାନ୍ତ ମିଶ୍ର ପ୍ରାୟ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗୋଟେ ମୃତଦେହ ଉଦ୍ଧାର କରି ପାରିଥିଲେ । ପ୍ରବଳ ବର୍ଷା ଓ ଅନ୍ଧାର ହୋଇ ଯିବା କାରଣରୁ ଅନ୍ୟ ମୃତ ଦେହଟି ଉଦ୍ଧାର କରିବା ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ ହୋଇ ପଡ଼ିଥିଲା ।
ମୃତ ଯୁବକ ଦ୍ବୟ ହେଲେ ପାଇକମାଲ ବ୍ଲକ ଝିଟିକି ଗ୍ରାମର ବିଜୟ କୁମାର ମହାକୁଡ଼ (୧୭) ଓ କ୍ଷୀରୋଦ ସୋନି(୨୧) ବୋଲି ଜଣା ପଡ଼ିଛି । ମୃତ ଯୁବକ ଦ୍ବୟ ଘନଶ୍ୟାମ ସହିତ ପ୍ରବଳ ବର୍ଷା ସତ୍ୱେ କପିଳଧାରକୁ ଯାଇଥିଲେ । ଅସାବଧାନତାବଶତଃ ଜଣକର ପାଦ ଖସିଯିବାରୁ ସେ ଅନ୍ୟ ଜଣକର ପାଦ ଧରି ପକାଇବାରୁ ଉଭୟ ତଳକୁ ଖସି ପଡ଼ିଥିଲେ ଓ ପଥରରେ ବାଡେଇ ହୋଇଥିବା କାରଣରୁ ଉଭୟ ଙ୍କର ମୃତ୍ୟୁ ହୋଇ ଯାଇଥିବା ଅନୁମାନ କରାଯାଉଛି । ଆଜି ଉଦ୍ଧାର ହୋଇଥିବା ମୃତଦେହ କ୍ଷୀରୋଦ ସୋନିଙ୍କ ବୋଲି ଚିହ୍ନଟ ହୋଇଥିବା ବେଳେ ଆସନ୍ତା କାଲି ଅଧିକ ଲୋକଙ୍କୁ ନେଇ ବିଜୟର ମୃତଦେହ ଉଦ୍ଧାର କରାଯିବା ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.