ଛତିଶଗଡକୁ ବେଆଇନ୍ ବାଲି ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସରେଇକେଲା ଗ୍ରାମ ପଞ୍ଚାୟତ ସମ୍ବଲପୁରୀ ବାଲିଘାଟିରୁ ଧରା ପଡିଲେ ୯ଟି ଟ୍ରାକ୍ଟର । ସମ୍ବଲପୁରୀ ବାଲିଘାଟ ଠାରେ ଜଗଦଳପୁର ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା । ସେହି ସମୟରେ ୫ଟି ବାଲି ବୋଝେଇ ଟ୍ରାକ୍ଟର ସମ୍ବଲପୁରୀ ଲହଣ୍ତିପୁର ରାସ୍ତା ମଝିରେ ଧରା ହୋଇଥିଲା । ଅନ୍ୟ ୪ଟି ଟ୍ରାକ୍ଟର ବାଲିଘାଟ ମଧ୍ୟରୁ ଧରା ପଡିଥିବାର ସୂଚନା ଦେଇଛନ୍ତି ଜଗଦଳପୁର ଆଇଆଇସି ଲିଲିମା ଲଳିତା ବାର୍ଲା । କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଉପଖଣ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ ସାହୁ ଜଗଦଲପୁର ଆଇଆଇସିଙ୍କୁ ବାଲିଘାଟ ରେ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଗଦଲପୁର ଆଇଆଇସିଙ୍କ ସହିତ ଏଏସଆଇ ସତ୍ୟାନନ୍ଦ ଭୋଇ, ହାବିଲଦାର ଜିତେନ ଦାସଙ୍କ ସମେତ ଅନ୍ୟ ଥାନାର କର୍ମଚାରୀମାନେ ଏବଂ ଲଖମରା ଆରଆଇ ଦାମୋଦର ସୁନା ଉକ୍ତ ଚଢାଉରେ ସାମିଲ ଥିଲେ । ସୂଚନା ଯୋଗ୍ୟ ଯେ, ଗୋଟିଏ ଟ୍ରାକ୍ଟର ଓଡିଶାର ଏବଂ ବାକି ଆଠଟି ଟ୍ରାକ୍ଟର ଛତିଶଗଡ ଅଞ୍ଚଳର । ସମସ୍ତ ଟ୍ରାକ୍ଟର ଜବତ କରାଯାଇ ଜଗଦଲପୁର ଥାନାରେ ଅଟକ ରଖା ଯାଇଛି । ଆରଟିଓ ବରଗଡ଼ଙ୍କୁ ଏ ବାବଦରେ ମଧ୍ୟ ସୂଚନା ଦିଆଯାଇଥିଲା । ଆରଟିଓ ଟିମ ସନ୍ଧ୍ୟାରେ ଜଗଦଲପୁର ଥାନାରେ ପହଞ୍ଚିଥିଲେ ସୁଦ୍ଧା କିଛି ସମାଧାନ ହୋଇ ନ ଥିବାର ସୂଚନା ରହିଛି ।

Leave A Reply

Your email address will not be published.