ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୋଲିସର ଟାର୍ଗେଟରେ ଏବେ ଶବ୍ଦ ପ୍ରଦୂଷଣ କରୁଥିବା ବୁଲେଟ୍ । ପୋଲିସକୁ ଖୋଲମ୍ଖୋଲା ଚ୍ୟାଲେଞ୍ଜ ଦେଇ ଦିନରାତି ସହର ଭିତରେ ଦ୍ରୁତ ଗତିରେ ବୁଲେଟ୍ ଚଳାଇ ଶବ୍ଦ ପ୍ରଦୂଷଣ କରି ଲୋକଙ୍କୁ ହଇରାଣ କରୁଥିବା ବୁଲେଟ୍କୁ ଏବେ କାବୁ କରିଛି ପୋଲିସ । ଏ ଦିଗରେ ପଦକ୍ଷେପ ନେଇ ବଲାଙ୍ଗିର ପୋଲିସ ଶବ୍ଦ ପ୍ରଦୂଷଣ କରୁଥିବା ବୁଲେଟ୍ ଚାଳକଙ୍କୁ ସାବାଡ କରିବା ପାଇଁ ସ୍ପେସିଆଲ ଡ୍ରାଇଭ ଆରମ୍ଭ କରିଛି ଓ ସାଇଲେନସର୍ ବଦଳାଇ ସହରରେ ଶବ୍ଦ ପ୍ରଦୂଷଣ କରୁଥିବା ୬ଟି ବୁଲେଟ୍କୁ ଜବତ କରିଛି ଟାଉନ ଥାନା ପୋଲିସ । କେବଳ ସେତିକି ନୁହେଁ, ସେମାନଙ୍କଠାରୁ ୩୧ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ସୂଚନା ମିଳିଛି । ତେବେ ଫାଇନ ଦେଇ ବୁଲେଟ୍ ମାଲିକ ଥାନାରୁ ଗାଡ଼ି ନେବେ ବୋଲି ଆରଟିଓ ଇନସପେକ୍ଟର ଯଶୋବନ୍ତ ଚିନ୍ନାରା ସୂଚନା ଦେଇଛନ୍ତି । ତେବେ ଜବତ୍ ହୋଇଥିବା ବୁଲେଟ୍ ଚାଳକମାନେ କାଳିଆ ସାହୁ, ଶୁଭ୍ରାଂଶୁ ପାଣିଗ୍ରାହୀ, ସୌମେନ ରାୟ, ସିଦ୍ଧେଶ୍ୱର ପଧାନ, ଅଙ୍କିତ ପାଣିଗ୍ରାହୀ ହୋଇଥିବା ବେଳେ ଅନ୍ୟ ଜଣକଙ୍କ ପରିଚୟ ମିଳିପାରି ନଥିବା ଜଣାପଡ଼ିଛି । ତେବେ ଫାଇନ ଦେବା ପରେ ଜବତ ବୁଲେଟ୍ରୁ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର୍ ଖୋଲି ମାଲିକଙ୍କୁ ହସ୍ତାନ୍ତର କରାଯିବ ଓ ଜବତ ବୁଲେଟର ମାଲିକମାନେ ଯଦି ପୁନର୍ବାର ଶବ୍ଦ ପ୍ରଦୂଷଣ କରିବେ, ତେବେ ସେମାନଙ୍କ ଗାଡି ଜବତ କରାଯିବା ସହ ଲାଇସେନ୍ସ ସିଜ୍ କରାଯିବ ବୋଲି ଟାଉନ୍ ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ କହିଛନ୍ତି ।