ବିଏସଏନଏଲ ୪ଜି ଟାଓ୍ବାର ସ୍ଥାନାନ୍ତର ପ୍ରସଙ୍ଗ : ସାଧାରଣରେ ଅସନ୍ତୋଷ

କଳାହାଣ୍ଡି (କେପିଏନ୍ଏସ୍) : ନୀତି ଆୟୋଗ ପକ୍ଷରୁ ଚିହ୍ନଟ ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ପ୍ରମୁଖ ଅଟେ । ଏହି ଆକାଂକ୍ଷୀ ଜିଲ୍ଲା ଗୁଡିକୁ କେନ୍ଦ୍ର ସରକାର ସାମଗ୍ରୀକ ବିକାଶ କ୍ଷେତ୍ରରେ ସ୍ବତନ୍ତ୍ର ଦୃଷ୍ଟି ଦେଉଥିବା ବେଳେ ଭାରତ ସରକାରଙ୍କ ଅଧିନସ୍ଥ ଭାରତ ସଂଚାର ନିଗମ ଲିମିଟେଡ଼(ବିଏସଏନଏଲ) ଏ ଦୁଇ ଜିଲ୍ଲାର ୧୭ଟି ସ୍ଥାନରୁ ତାର ୪ଜି ମୋବାଇଲ ଓ ଇଣ୍ଟରନେଟ ସେବା ସମ୍ପୁର୍ଣ୍ଣ ବନ୍ଦ କରି ତାହାର ଉପକରଣ ସବୁ କନ୍ଧମାଳ ଜିଲ୍ଲାକୁ ସ୍ଥାନାନ୍ତର ପାଇଁ ଯୋଜନା କରୁଛି । ସ୍ବଳ୍ପ ଡାଟା ବ୍ୟବହୃତ ହେଉଥିବା କାରଣ ଦର୍ଶାଇ ଓଡ଼ିଶା ଟେଲିକମ ସର୍କିଲର ଜେନାରାଲ ମ୍ୟାନେଜର ସ୍ଥାନାନ୍ତରଣ ନେଇ ଜିଲ୍ଲା ଟେଲିକମ ମ୍ୟାନେଜରମାନଙ୍କୁ ଚିଠି ଲେଖିବା ପରେ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏ ଘଟଣାରେ ଆଜି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ତୀବ୍ର ନିନ୍ଦା କରାଯିବା ସହ ଏ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ଦାବୀ କରି ଭବାନୀପାଟଣା ବିଏସଏନଏଲ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ବିଏସଏନଏଲ ବିରୋଧରେ ନାରା ଦେବା ସହ କାହା ସ୍ବାର୍ଥରେ ୪ଜି ସେବାକୁ ସ୍ଥାନାନ୍ତର ନିଷ୍ପତ୍ତି ନିଆଗଲା ବୋଲି ପ୍ରଶ୍ନ କରାଯିବା ସହ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନଙ୍କ ଜରିଆରେ ପ୍ରେରିତ କରାଯାଇଛି । ସୂଚନାଯୋଗ୍ୟ ଯେ, ବିଏସଏନଲ ଓଡିଶା ସର୍କିଲର ମୁଖ୍ୟ ଜେନାରାଲ ମ୍ୟାନେଜର ଗତ ୨୮ ଜୁଲାଇ ରେ ଟିଡିଏମମାନଙ୍କୁ କରିଥିବା ଚିଠି ଅନୁଯାୟୀ କଳାହାଣ୍ଡି ଓ ବଲାଙ୍ଗୀର ସର୍କିଲ ର ୪୧ ଟି ସ୍ବଳ୍ପ ଡାଟା ବ୍ୟବହୃତ ସ୍ଥାନକୁ ଚିଠିରେ ଦର୍ଶାଯାଇଛି, ଯେଉଁଥିରେ କଳାହାଣ୍ଡିର ୧୬ଟି ସ୍ଥାନ ଓ ନୂଆପଡା ଜିଲ୍ଲାର ୨ ସ୍ଥାନ ରହିଛି । କଳାହାଣ୍ଡିର ଆମପାଣି, ବେହେରା, ବିଜମରା, ଚିଚେଇଗୁଡା, ଚିଲଗୁଡା, ଗୁଗରୁପଲା, ହାତୀବନ୍ଧ, ଜାରିଙ୍ଗ, କାଉଡୋଲା, କୁଲିଆବନ୍ଦ, ଲଡୁଗାଁ, ମହିଚଲା, ମୋଟେର, ପାଷ୍ଟିଗୁଡି, ଗୋଲାମୁଣ୍ଡା, ଥୁଆପଦର ଭଳି ସ୍ଥାନରୁ ୪ଜି ସେବା ବନ୍ଦ ହେବ ବୋଲି କୁହାଯାଇଛି । ଏଣୁ ଏନେଇ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ତ୍ବରିତ ହସ୍ତକ୍ଷେପ ଲୋଡିଛି ଛାତ୍ର ବିଜେଡି । କୋଭିଡ ସମୟରେ ଗ୍ରମାଞ୍ଚଳର ଛାତ୍ରଛାତ୍ରୀମାନେ ଇଣ୍ଟରନେଟ ଜରିଆରେ ପାଠ ପଢ଼ୁଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବ ଓ ଛାତ୍ରଛାତ୍ରୀ ଇଣ୍ଟରନେଟ ସେବାରୁ ବଞ୍ଚିତ ହେବେ ବୋଲି ଛାତ୍ର ବିଜେଡି ତରଫରୁ ସ୍ମାରକ ପତ୍ରରେ କୁହାଯାଇଛି । ପୁଣି ବିଏସଏନଏଲ ବହୁ ବର୍ଷ ଧରି ତାର ପୁରୁଣା ଢାଞ୍ଚା ଓ ବିନା ଜେନେରେଟରରେ କାମ ଚଳେଇ ଆସିଛି । ଏଣୁ ତାର ଭିତ୍ତିଭୂମିକୁ ସୁଦୃଢ କରିବା ସହ ସମସ୍ତ ଟାଓ୍ବାରରେ ଜେନେରେଟର ସେଟ ରଖିବା, ମାଓ ପ୍ରଭାବିତ ବ୍ଳକ ଲାଞ୍ଜିଗଡ଼, ଥୁଆମୁଲ ରାମପୁର, ଗୋଲାମୁଣ୍ଡାର ଉପାନ୍ତ ଅଞ୍ଚଳମାନଙ୍କରେ ନୂତନ ଟାଓ୍ବାର ନିର୍ମାଣ କରିବା, ୨ଜି ଟାଓ୍ବାର ଗୁଡିକୁ ଅପଗ୍ରେଡ କରି ୪ଜି ସେବା କାର୍ୟ୍ୟକ୍ଷମ କରିବା ପ୍ରମୁଖ ଦାବି କରାଯାଇଛି । ବିଏସଏନଏଲ ଯଦି କଳାହାଣ୍ଡିର ଜେଡଟିଇ ୪ଜି ଟାଓ୍ବାର ଓ ଉପକରଣକୁ ସ୍ଥାନାନ୍ତର ନିଷ୍ପତ୍ତିରୁ ନ ଓହରେ ତେବେ ବ୍ୟାପକ ଭାବେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ଛାତ୍ର ସଭାପତି ଅବିନାଶ ଠାକୁର କହିଛନ୍ତି । ଏହି ବିକ୍ଷୋଭରେ ଯୁବ ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଅନୁସୂଚିତ ଜାତି କାର୍ୟ୍ୟକାରୀ ସଦସ୍ୟ ମଣ୍ଟୁ ନାଏକ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ନିଆଲ, ଛାତ୍ର ଉପସଭାପତି ଅଭିଷେକ ମହାପାତ୍ର, ପୂର୍ବତନ ଛାତ୍ର ସଂସଦ ସଭାପତି ଆଶିଷ ମହାପାତ୍ର, ଛାତ୍ର ନେତା ଅମରଦୀପ ସିଂହ, ଶୁଭମ ନାଏକ, ସତ୍ୟବ୍ରତ ଦାସ, ମହମ୍ମଦ ଇସମାଇଲ, ରଞ୍ଜନ ସାହୁ, ଅମିତ ଯାଦବ, ହରଦୀପ ସିଂହ, ଦିନେଶ ବଗର୍ତୀ, ଲବଣୀ ମହାନନ୍ଦ, ଜିତେନ୍ଦ୍ର ବେହେରା, କାମାକ୍ଷ ସିଂହ ଦେଓ, ସିନୁ ବେହେରା, ରୋମାଞ୍ଚଳ ମେହେର, ସାଗର ପାଲ, ସୁଭେନ୍ଦୁ ଲହଜାଲ, ପ୍ରଭୁପାଦ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.